ମୁମ୍ବାଇ : ରାତି ପାହିଲେ ଦୁଲୁକିବ ଷ୍ଟାଡିୟମ । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ମହାକୁମ୍ଭ । ଛକା ଚଉକାରେ କମ୍ପିବ ଷ୍ଟାଡିୟମ । ତେବେ ବିଶ୍ୱକପ ପୂର୍ବରୁ କୋହଲିଙ୍କ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।
ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ବିଶ୍ୱକପ ପାଖେଇ ଆସୁଛି । କିନ୍ତୁ ମୁଁ ମୋର ବନ୍ଧୁଙ୍କୁ ବିନମ୍ରତାର ସହ କହିବାକୁ ଚାହୁଁଛି ଯେ, ଟୁର୍ଣ୍ଣାମେଣ୍ଟ ସମୟରେ ମୋତେ କେହି ଟିକେଟ ପାଇଁ ଅନୁରୋଧ କରିବେନି । ଦୟାକରି ନିଜ ଘରେ ବସି ମ୍ୟାଚର ମଜା ଉଠାନ୍ତୁ । କୋହଲିଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଫ୍ୟାନ୍ସ ବି କମେଣ୍ଟ ଦେବା ଆରମ୍ଭ କରିଛନ୍ତି ।
ଉକ୍ତ ପୋଷ୍ଟରୁ ଲାଗୁଛି, ମ୍ୟାଚ ସମୟରେ କୋହଲିଙ୍କୁ ତାଙ୍କ ବନ୍ଧୁ ଟିକେଟ ପାଇଁ ଅନୁରୋଧ କରିଥାନ୍ତି । କାରଣ ବିଶ୍ୱକପର ଅଧିକାଂଶ ମ୍ୟାଚର ଡିମାଣ୍ଡ ଯଥେଷ୍ଟ ଅଧିକ ଥାଏ । ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ଟିକେଟ ମିଳିନଥାଏ । ତେଣୁ ଖେଳାଳୀଙ୍କର ବନ୍ଧୁ ଓ ସର୍ମ୍ପକୀୟ ଟିକେଟ କିମ୍ବା ପାସ୍ ପାଇଁ ଖେଳାଳୀଙ୍କୁ ଅନୁରୋଧ କରିଥାନ୍ତି ।
କେବଳ ବିରାଟ ନୁହାଁନ୍ତି ପତ୍ନୀ ଅନୁଷ୍କା ବି ସେୟାର କରି ଲେଖିଛନ୍ତି ସମାନ କଥା । ସେ କହିଛନ୍ତି ମୁଁ ମଧ୍ୟ ଏଥିରେ ଗୋଟିଏ କଥା ଯୋଡିବାକୁ ଚାହୁଁଛି । ଯଦି ଆପଣଙ୍କର ମେସେଜର ଉତ୍ତର ମିଳୁନି ତେବେ ମୋତେ ମଧ୍ୟ ଟିକେଟ ପାଇଁ ଅନୁରୋଧ କରିବେ ନାହିଁ । ଧନ୍ୟବାଦ ସମସ୍ତଙ୍କୁ ଆମକୁ ବୁଝୁଥିବାରୁ । ଏବେ ବିରାଟ କେବଳ ବିଶ୍ୱକପ ଉପରେ ଫୋକସ ରଖିବାକୁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।