Cricket

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ୩ଦିନିଆ ଅଭ୍ୟାସ ମ୍ୟାଚ

(ଓଡିଶାସ୍ପୋର୍ଟସ): ଭ୍ରମଣକାରୀ ଭାରତ ଓ ଘରୋଇ‌ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ଏହି ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ ବିପକ୍ଷରେ ଶନିବାରରୁ ୩ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ।
ଟେଷ୍ଟ ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ। ସେହିପରି ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳ ତରଫରୁ ଖେଳିନଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଟେଷ୍ଟ ଦଳକୁ ଫେରିଛନ୍ତି। ଏହି ୩ ଖେଳାଳିଙ୍କ ନିକଟରେ ଅଭ୍ୟାସ ମ୍ୟାଚ୍‌ ଖେଳି ନିଜକୁ ଟେଷ୍ଟ ସିରିଜ୍‌ ପାଇଁ ପ୍ରସ୍ତୁତ କରିବାର ସୁଯୋଗ ଅଛି। ଅନ୍ୟପକ୍ଷରେ ୩ୟ ଦିନିକିଆ ମ୍ୟାଚ୍‌ ଖେଳୁଥିବା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ ବଲ୍ ମାଡ଼ ହୋଇଥିବା ଜଣାପଡ଼ିଛି। ତେବେ ଅଭ୍ୟାସ ମ୍ୟାଚ୍‌ରେ ଖେଳୁଛନ୍ତି କି ନାହିଁ ତା’ ଉପରେ ନଜର ରହିବ। କୋହଲି ଟ୍ବେଣ୍ଟି୨୦ ସିରିଜ୍‌ରେ ୧୦୬ ଓ ଦିନିକିଆ ସିିରିଜ୍‌ରେ ୨୩୪ ରନ୍‌ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ଦୁଇଟି ଶତକ ରହିଥିଲା। ଭାରତୀୟ ଦଳ ୩-୦ରେ ଟ୍ବେଣ୍ଟି୨୦ ସିରିଜ୍‌ ଜିତିଥିବା ବେଳେ ୨-୦ରେ ଦିନିକିଆ ସିରିଜ୍‌ ଜିତିଥିଲା। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତା ୨୨ରୁ ଆରମ୍ଭ ହେବ।
ଟେଷ୍ଟ ବ୍ୟାଟସମ୍ୟାନ୍‌ ଭାବେ ପ୍ରସିଦ୍ଧି ଲାଭ କରିଥିବା ପୂଜାରା ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।ସେ ଗତ ରଣଜୀ ସିଜିନ୍‌ରେ ସୌରାଷ୍ଟ୍ର ତରଫରୁ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ସେହିପରି ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଇଂଲିଶ୍‌ କାଉଣ୍ଟିରେ ଖେଳି ୩୦୭ ରନ୍‌ ସଂଗ୍ରହ କରିଛନ୍ତି। ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ଅଭ୍ୟାସ ମ୍ୟାଚ୍‌ରେ ଉଭୟଙ୍କ ନିକଟରେ ଭଲ ସୁଯୋଗ ରହିଛି। ଅନ୍ୟପକ୍ଷରେ ବୁମରା ଗତ ବିଶ୍ବକପ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ ନିମନ୍ତେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ବୁମରା ଟେଷ୍ଟ ସିରିଜ୍‌ ନିମନ୍ତେ ଭାରତୀୟ ଦଳକୁ ଫେରିଥିବା ବେଳେ ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବେ।
ୱେଷ୍ଟଇଣ୍ଡିଜ ବିପକ୍ଷ ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ରେ ଆଶାନୁରୂପ ବ୍ୟାଟିଂ କରିବାରେ ବିଫଳ ହୋଇଥିବା ରୋହିତ ଶର୍ମା ଓ ଋଷଭ ପନ୍ତ୍‌ ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଟେଷ୍ଟ ସିରିଜ୍‌ ନିମନ୍ତେ ଫର୍ମକୁ ଫେରିବାକୁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ଅଭ୍ୟାସ ମ୍ୟାଚ୍‌ରେ ଋଷଭ ପନ୍ତ୍‌ଙ୍କ ସ୍ଥାନରେ ଦ୍ବିତୀୟ ୱିକେଟରକ୍ଷକ ଋଦ୍ଧିମାନ ଶାହାଙ୍କୁ ସୁଯୋଗ ମିଳିବ କି ନାହିଁ ତା ଉପରେ ସମସ୍ତଙ୍କ୍ ନଜର ରହିଛି। ଅଭ୍ୟାସ ମ୍ୟାଚ୍‌ରେ ମୟଙ୍କ ଅଗ୍ରୱାଲ୍‌ ଓ କେଏଲ୍‌ ରାହୁଲ ବ୍ୟାଟିଂ ଓପନ୍‌ କରିପାରନ୍ତି। ସେହିପରି ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଦ୍ରୁତ ବୋଲର ଉମେଶ ଯାଦବ ଓ ଈଶାନ୍ତ ଶର୍ମା ଟେଷ୍ଟ ସିରିଜ୍‌ରେ ଖେଳିବାକୁ ନିଶ୍ଚିତ ଭାବେ ଆଶାବାଦୀ ଥିବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ଅନ୍ତର୍ଗତ ହୋଇଥିବାରୁ ଏହି ଟେଷ୍ଟ ସିରିଜ୍‌ ଜିତିବାକୁ ଭାରତୀୟ ଦଳ ନିଶ୍ଚିତ ଭାବେ ଚାହିଁବ। ଟେଷ୍ଟ ସିରିଜ୍‌ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଅଭ୍ୟାସ ମ୍ୟାଚ୍‌ ସୁଯୋଗ ଆଣି ଦେଇଥିବା ବେଳେ ଭାରତୀୟ କ୍ରିକେଟର୍‌ମାନେ ଏହାର କିଭଳି ସଦୁପଯୋଗ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି।

Related posts

ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି

Odisha Sports Bureau

ଆଜିଠୁ ଆଇପିଏଲ ୧୬ତମ ସଂସ୍କରଣ, ୧୦ଟି ଟିମ ଭିତରେ ଲାଗିବ ଟକ୍କର

Odisha Sports Bureau

ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ବିରାଟ କୋହଲୀଙ୍କ ଯୁକ୍ତିତର୍କ

Odisha Sports Bureau