(ଓଡିଶା ସ୍ପୋର୍ଟ): ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪-୧ରେ ବିଜୟୀ ହେବା ପରେ ଏବେ ଟିମ୍ ଇଣ୍ଡିଆର ଫୋକସ ଟି-୨୦ ସିରିଜ୍ ଉପରେ । ତିନି ମ୍ୟାଚ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆସନ୍ତାକାଲି େଓ୍ଵଲିଂଟନ୍ରେ ଖେଳାଯିବ ।
ଟି-୨୦ରେ ମଧ୍ୟ ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ଦଳକୁ ଓ୍ଵିକେଟ୍ କିପର/ବ୍ୟାଟ୍ସମ୍ୟାନ୍ ୠଷଭ ପନ୍ତ ଏବଂ ବୋଲର୍ ଖଲିଲ ଅହମଦ ଫେରିଛନ୍ତି । ଏବେ ଦେଖିବାର କଥା ଫର୍ମରେ ଥିବା ଧୋନି ଓ ପନ୍ତଙ୍କ ଭିତରୁ କାହାକୁ କି ଦାୟିତ୍ୱ ମିଳୁଛି । ସେପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ନିଜ ଜାଗା ପକ୍କା କରି ସାରିଛନ୍ତି । ଏପଟେ ଦଳକୁ ଆସିଛନ୍ତି ତାଙ୍କ ବନ ଭାଇ କ୍ରୁନାଲ ପାଣ୍ଡ୍ୟା । ଏବେ ଦେଖିବାର କଥା ଦୁଇ ଭାଇଙ୍କୁ ଏକା ସାଙ୍ଗରେ ସୁଯୋଗ ମିଳୁଛି କି ନାହିଁ ।
ସେପଟେ ଆହତ ଥିବା ମାର୍ଟିନ୍ ଗପ୍ଟିଲ ନ୍ୟୁଜିଲାଣ୍ଡ ଦଳରେ ନାହାନ୍ତି । ଯାହା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ତାଙ୍କ ସ୍ଥାନରେ ଅଲରାଉଣ୍ଡର ଜିମ୍ମି ନିସମ ଖେଳିବେ । ଏହା ସହିତ କିଛି ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିବ ।
ଦ୍ୱିତୀୟ ଟି-୨୦ ଅକଲାଣ୍ଡର ଇଡେନ୍ ପାର୍କରେ ୮ ତାରିଖ ଦିନ ଏବଂ ତୃତୀୟ ମ୍ୟାଚ୍ ୧୦ ତାରିଖରେ ହାମିଲଟନ୍ରେ ଖେଳାଯିବ । ଆସନ୍ତା କାଲିର ମ୍ୟାଚ୍ ଭାରତୀୟ ସମୟ ଦିନ ୧୨.୩୦ରୁ ଖେଳାଯିବ । ଦିନ ୧୨ଟାରେ ଟସ୍ ପଡ଼ିବ । ତେବେ ମାତ୍ର ୫ ଦିନ ଭିତରେ ୩ଟି ମ୍ୟାଚ୍ ଅବଶ୍ୟ ଉଭୟ ଦଳ ପାଇଁ କଷ୍ଟକର ହେବ ।