Badminton

ବ୍ୟାଡମିଣ୍ଟନ ଖେଳକୁ ବାଏ ବାଏ କଲେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି

(ଓଡ଼ିଶା ସ୍ପୋର୍ଟସ ): ଆଉ ଜଣେ ମହିଳା ବ୍ୟାଡମିଣ୍ଟନ ଖେଳାଳି ଅବସର ନେଇଛନ୍ତି। ସେ ହେଉଛନ୍ତି ଚାଇନାର ପୂର୍ବତନ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି ଜୁଇରୁଇ। ମାତ୍ର ୨୮ ବର୍ଷ ବୟସରେ ଏହି ମହାନ୍‌ ଆକ୍ରମଣାତ୍ମକ ଖେଳାଳି ଜଣକ ବ୍ୟାଡ୍‌ମିଣ୍ଟନକୁ ଅଲବିଦା କରିଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଏହି ମହିଳା ତାରକା ତାଙ୍କ ପେସାଦାର କ୍ୟାରିୟରରେ ସବୁ ପ୍ରକାର ସଫଳତା ଅର୍ଜନ କରିଛନ୍ତି। ନିଜ ସମୟରେ ସେ ଆଧିପତ୍ୟ ବିସ୍ତାର କରି ବେଶ୍‌ ସଫଳତା ହାସଲ କରିଛନ୍ତି। ରିଓ ଅଲିମ୍ପିକ୍ସରେ ଆହତ ହେବା ପରେ ଅବଶ୍ୟ ତାଙ୍କ କ୍ୟାରିୟର ଭିନ୍ନ ମୋଡ଼ ନେଇଥିଲା। ୨୦୧୦ ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ମାତ୍ର ୧୯ ବର୍ଷରେ ନିଜର ଉପସ୍ଥିତି ଜାହିର କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ସାଇନା ନେହ୍ବାଲ ଓ ନିଜ ଦେଶର ଲିଓ ଜିନଙ୍କୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶ୍ୱ ଶ୍ରେଷ୍ଠ ଇଭେଣ୍ଟଗୁଡିକରେ ଲିଙ୍କର ଆଧିପତ୍ୟ ଦେଖିବାକୁ ମିଳିଥିଲା। ତାଙ୍କୁ ହରାଇବା ନିହାତି କଷ୍ଟକର ଥିଲା। ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପୂର୍ବରୁ ସେ ୨୦୧୨ ଅଲ ଇଂଲଣ୍ଡ ଚାମ୍ପିୟନଶିପ୍‌ରେ ମଧ୍ୟ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ୨୦୧୩ ଓ ୨୦୧୪ରେ ବିଶ୍ୱଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ରିଓ ଅଲିମ୍ପିକ୍ସରେ ସେ ଫେଭରାଇଟ ବିବେଚିତ ହେଉଥିଲେ। ତେବେ ଇଞ୍ଜୁରି କାରଣରୁ ସେ ସେମିରେ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ସେ ଗୋଟିଏ ବର୍ଷ ବ୍ୟାଡମିଣ୍ଟନରୁ ଦୂରେଇ ରହିଥିଲେ। ଏହାପରେ ଅବଶ୍ୟ ସେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିଲେ। ବ୍ୟାଡମିଣ୍ଟନକୁ ଫେରିବା ପରେ ଲିଙ୍ଗ୍‌ସୁଇ ଚାଇନା ମାଷ୍ଟର୍ସ, ୟୁଏସ୍‌ ଓପନ୍‌ ଓ କାନାଡ଼ା ଓପନ ଟାଇଟଲ ହାସଲ କରିଥିଲେ। ତେବେ ସେ ତାଙ୍କ ପୂର୍ବ ଚମକ ହରାଇଥିଲେ। ଟପ୍‌ ଟାୟାର ଇଭେଣ୍ଟରେ ତାଙ୍କର ଚମକ ଦେଖିବାକୁ ମିଳି ନ ଥିଲା। ଗତମାସରେ ସେ କୋରିଆ ଓପନ ଖେଳିଥିଲେ। ତେବେ ପ୍ରଥମ ରାଉଣ୍ଡରେ ହିଁ ତାଙ୍କୁ ରିଟାୟାର୍ଡ ହେବାକୁ ପଡିଥିଲା। ସ୍ବଳ୍ପ ସମୟର ଜାଜ୍ୱଲ୍ୟମାନ କ୍ୟାରିୟରରେ ସେ ୧୪ଟି ସୁପର ସିରିଜ ଟାଇଟଲ ଜିତିଥିଲେ। ୨୦୧୩ରେ ସେ ବିଡବ୍ଲ୍ୟୁଏଫ୍‌ ଫିମେଲ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨

Odisha Sports Bureau

ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରତ୍ୟାବର୍ତ୍ତନ କଲେ ଲକ୍ଷ

Odisha Sports Bureau

ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍‌

Odisha Sports Bureau