ଲର୍ଡ୍ସ: ଗୋଟିଏ ପଟେ ଇଂରେଜ ଶାସନ ଉପରେ ବିଜୟ ଏବଂ ଭାରତର ସ୍ୱାଧୀନତାକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରୁଛି । ଅନ୍ୟପଟେ ଭାରତ ପୁଣି ଥରେ ଇଂରେଜ ମାନଙ୍କ ଉପରେ ସେମାନଙ୍କ ଘରେ ବିଜୟ ହାସଲ କରିଛି । ଏ ବିଜୟ ହେଉଛି ଲର୍ଡ୍ସ ଗ୍ରାଉଣ୍ଡରେ ଐତିହାସିକ ଟେଷ୍ଟ ମ୍ୟାଚର । ଦ୍ୱିତୀୟ ମ୍ୟାଚର ଶେଷ ଦିନରେ ଇଂରେଜ ଠାରୁ ରୋମାଞ୍ଚକର ବିଜୟ ହାସ କରିଛି ଭାରତ । ଇଂରେଜ ଦଳକୁ ଭାରତ ୧୫୧ ରନ ପଛରେ ପକାଇ ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଦ୍ୱିତୀୟ ଇଂନିଂସରେ ଭାରତୀୟ ବୋଲର ବିଶେଷ କରି ମହମ୍ମଦ ସାମୀ ଏବଂ ଜଶପ୍ରୀତ ବୁମରାହଙ୍କ ଅବଦାନ ହିଁ ଭାରତକୁ ଏହି ଐତିହାସିକ ବିଜୟ ଭେଟି ଦେଇଛି ।
ଶେଷ ଦିନରେ ଏକଦା ସଙ୍କଟାପନ୍ନ ପରିସ୍ଥିତି ଦେଇ ଗତି କରୁଥିବା ଭାରତ ପାଇଁ ବରଦାନ ହୋଇ ଉଭା ହୋଇଥିଲେ ମହମ୍ମଦ ସାମୀ ଏବଂ ଜଶପ୍ରୀତ ବୁମରାହ । ପଞ୍ଚମ ଦିନରେ ୧୮୧ ରନରୁ ଖେଳ ଆରମ୍ଭ କରିତିବା ଭାରତ ଖୁବ କମ ରନ ମଧ୍ୟରେ ଋଷଭ ପନ୍ତ ଏବଂ ଇଶାନ୍ତ ଶର୍ମାଙ୍କୁ ହରାଇଥିଲା । ତେବେ ଏହାପରେ ମହମ୍ମଦ ସାମୀ ଏବଂ ବୁମରାହ ଖେଳିଥିଲେ ଅଦ୍ଭୁତ ପାରି । ସାମୀଙ୍କ ଅପରାଜିତ ଅର୍ଦ୍ଧଶତକ(୫୬) ଏବଂ ବୁମରାହଙ୍କ ଜବରଦସ୍ତ ୩୪ ରନର ପାଳିରେ ଭାରତକୁ ଅଲ ଆଉଟରୁ ବଞ୍ଚାଇ ଦେଇଥିଲା । ଶେଷରେ ୨୯୮-ରେ ପାଳି ଘୋଷଣା କରିଥିଲା ଭାରତ । ଦୁଇଟି ସେସନରେ ଭାରତକୁ ବିଜୟ ପାଇଁ ଆବଶ୍ୟକ ଥିଲା ୧୦ଟି ୱିକେଟ ଏବଂ ଇଂଲଣ୍ଡ ଦଳକୁ୨୭୨ ରନ । ତେବେ ଇଂଲଣ୍ଡ ଏହି ଟାର୍ଗେଟଟକୁ ହାସଲ କରିବାରେ ବିଫଳ ହୋଇଛି । ମାତ୍ର ୧୨୦ ରନରେ ସମସ୍ତ ୱିକେଟ ଅକ୍ତିଆର କରି ନେଇଥିଲେ ଭାରତର ପେସ ବୋଲର ।
ଭାରତର ଘାତକ ପେସ ଆଟାକ ଆଗରେ ଇଂଲଣ୍ଡ ବେସାହାରା ହୋଇ ପଡିଛିି । ପ୍ରଥମ ଦୁଇ ଓଭରରେ ହିଁ ବୁମରାହ ଏବଂ ସାମୀ ରରି ବର୍ଣ୍ଣସ ଏବଂ ଡୋମିନିକ ସିବଲିଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ପରେ ଜୋ ରୁଟ ଏବଂ ହସିମ ଅହମ୍ମଦ ପୁଣିଥରେ ଦଳର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ । ୪୨ ରନରେ ଇଶାନ୍ତ ଶର୍ମା ଏହି ଯୋଡିକୁ ଭାଙ୍ଗି ଭାରତକୁ ପୁଣି ମ୍ୟାଚରେ ଫେରାଇ ଆଣିଥିଲେ । ପରେ ହାମିଦ ଏବଂ ବେୟାରଷ୍ଟୋ ଙ୍କୁ ଇଶାନ୍ତ ଆଉଟ କରିଥିଲେ । ମାତ୍ର ୬୭ ରନ ଭିତରେ ଇଂଲଣ୍ଡ ଏହାର ୫ଟି ୱିକେଟ ହରାଇ ସାରିଥିଲା । ମ୍ୟାଚରେ ବିଜୟର ଆଶା ସେତେବେଳେ ବଢିଥିଲା, ଯେତେବେଳେ ବୁମରାହ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ୱିକେଟ ନେଇଥିଲେ । ଏହାପରେ କୌଣସି ବ୍ୟାଟ୍ସମ୍ୟାନ ପଡିଆରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ଶେଷରେ ୧୨୦ ରନରେ ହିଁ ଦଳ ଅଲଆଉଟ ହୋଇଥିଲା ଏବଂ ଭାରତ ୧୫୧ ରନରେ ଏକ ବୃହତ ବିଜୟ ହାସଲ କରିଥିଲା । ପ୍ରଥମ ଇନିଂସରେ ୪ ଓ୍ଵିକେଟ୍ ନେଇଥିବା ସିରାଜ ଦ୍ଵିତୀୟ ଇନିଂସରେ ୩୨ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିଲେ। ବୁମରା ୩୩ ରନ ଦେଇ ୩ଟି, ଇଶାନ୍ତ ଶର୍ମା ୧୩ ରନ ଦେଇ ୨ ଏବଂ ମହମ୍ମଦ ଶାମି ଗୋଟିଏ ଓ୍ଵିକେଟ୍ ନେଇଥିଲେ। ତେବେ ପ୍ରଥମ ଇନିଂସେ ଶତକ ହାସଲ କରିଥିବା କେ.ଏଲ ରାହୁଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀଭାବେ ବିବେଚିତ ହୋଇଥିଲେ ।