ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଶ୍ୱର ଶ୍ରେଷ୍ଠ ଖେଳାଳି ବିରାଟ କୋହଲୀ । ବିରାଟଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏବେ କୋହଲିଙ୍କ ହାତରେ କେବଳ ଟେଷ୍ଟ ଟିମର ଅଧିନାୟକ ପଦ ରହିଛି । ତେବେ ଏହାପରେ ପ୍ରଶଂସକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କିନ୍ତୁ ଏହାପରେ ମଧ୍ୟ ବିରାଟଙ୍କ ନାମରେ ରହିଛି ଏମିତି କିଛି ରେକର୍ଡ, ଯାହା ଭାଙ୍ଗିବା କଷ୍ଟକର । ଅଧିନାୟକ ଭାବରେ ଅନେକ କିଛି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି କିଙ୍ଗ କୋହଲୀ ।
ଟି-୨୦ କ୍ରିକେଟରେ ପ୍ରଥମ ଅଧିନାୟକ ଭାବେ ୩୦୦୦(୩୨୨୭) ରନ ପୂରଣ କରିଛନ୍ତି ବିରାଟ । ପ୍ଲେୟର ଅଫ ଦ ସିରିଜ ପାଇବାରେ ବି ଖୁବ ଆଗରେ ଅଛନ୍ତି କୋହଲୀ । ୭ ଥର ପ୍ଲେୟର ଅଫ ଦ ସିରିଜ ଭାବେ କୋହଲୀ ବିବେଚିତ ହୋଇଛନ୍ତି । ଏହାବ୍ୟତୀତ ଟି-୨୦ରେ ବିଶ୍ୱର ପ୍ରଥମ ଖେଳାଳୀ ଭାବେ ୫୦ ରୁ ଅଧିକ(୫୨.୦୪) ଆଭରେଜ ରଖିଛନ୍ତି ବିରାଟ । ସେହିପରି ବିଶ୍ୱର କୌଣସି ବି ଦେଶ ସହ କମ୍ ମ୍ୟାଚ୍ ଖେଳି ସବୁଠାରୁ ଅଧିକ ଦିନିକିଆ ଶତକ ମାରିଥିବା ରେକର୍ଡ କୋହଲିଙ୍କ ନାଁରେ ରହିଛି । କୋହଲି ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ୯ଟି ଶତକ ଲଗାଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର ।
ଦିନିକିଆ ଫର୍ମାଟରେ ସବୁଠାରୁ ଦ୍ରୁତ ୧୨୦୦୦ ରନ୍ କରିବାରେ ଆଗରେ ବିରାଟ । ସେ ୨୪୨ ଇନିଂସରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି । ସେ ୩୦୦ଟି ଇନିଂସରେ ୧୨ ହଜାର ରନ୍ କରିଥିଲେ । କୋହଲି ପଦାର୍ପଣ କରିବାର ୧୨ ବର୍ଷ ୧୦୬ ଦିନ ମଧ୍ୟରେ ଏହି ଉପଲବ୍ଧି ହାସଲ କରିପାରିଥିଲେ ।
ଆଇପିଏଲରେ ମଧ୍ୟ କୋହଲୀ କିଙ୍ଗ । ୬୦୦୦ ରନ ପୂରଣ କରିବାରେ ପ୍ରଥମ ଖେଳାଳୀ ହେଉଛନ୍ତି ବିରାଟ କୋହଲୀ । ମାତ୍ର ୨୦୭ ମ୍ୟାଚ ସେ ସଂଗ୍ରହ କରିଛନ୍ତି ୬୨୮୩ ରନ ।
