ଅନ୍ତ ହେବ ଦୁଇ ଦଶନ୍ଧିର ଅପେକ୍ଷା | ଖୁବ ଶୀଘ୍ର ଭାରତୀୟ କ୍ରିକେଟ ଦଳରେ ନଜର ଆସିବେ ଓଡ଼ିଆ ଖେଳାଳି | ଏ କଥା ଆମେ କହୁନୁ, ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏକ ଏମଓୟୁ ସାଇନିଙ୍ଗ କାର୍ଯ୍ୟକ୍ରମରେ କହିଛନ୍ତି ପୂର୍ବତନ ଭାରତୀୟ କୋଚ ତଥା କ୍ରିକେଟର ରବି ଶାସ୍ତ୍ରୀ | ରବି ଶାସ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କୋଚିଙ୍ଗ ବିୟଣ୍ଡ ଏବେ ଏମଜିଏମ ସ୍କୁଲ ଅଫ ସ୍ପୋର୍ଟ୍ସ ସହ ମିଶି ଓଡିଶାରେ ଉଚ୍ଚ ସ୍ତରର କ୍ରିକେଟ ପ୍ରଶିକ୍ଷଣ ଭିତ୍ତି ଭୂମି ଯୋଗାଇ ଦେବାକୁ ଯାଉଛି | ଏହି କୋଚିଙ୍ଗ ଶିବିରରେ 16 ରୁ 19 ବର୍ଷ ବୟସର କ୍ରିକେଟର ଅଂଶଗ୍ରହଣ କରିବା ସହ ସେମାନଙ୍କ କ୍ରିକେଟ କିପରି ଉର୍ନ୍ନତି ହେବ ସେ ଦିଗରେ କାର୍ଯ୍ୟକ୍ରମ କରାଯିବ | କେବଳ କ୍ରିକେଟର ନୁହଁନ୍ତି ରାଜ୍ୟରେ ଥିବା କ୍ରିକେଟ କୋଚଙ୍କୁ ମଧ୍ୟ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା ସେ କହିଛନ୍ତି |
ରବି ଶାସ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ଭାରତୀୟ ବୋଲିଙ୍ଗ କୋଚ ଭରତ ଅରୁଣ, ଆର. ଶ୍ରୀଧର ଏବଂ ଭେଙ୍କଟପତି ରାଜୁ ଆଦି ମଧ୍ୟ ଏହି କୋଚିଙ୍ଗ ପ୍ୟାନେଲର ସଦସ୍ୟ ଅଛନ୍ତି | ବିଶେଷ କରି କିଛିଟା ତ୍ରୁଟି ରହିଥିବାରୁ ଓଡିଶାରୁ ଦୀର୍ଘ ଦିନ ହେବ କୌଣସି ଖେଳାଳି ଦେଶକୁ ପ୍ରତିନିଧିତ୍ବ କରି ନାହାନ୍ତି | ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ରାଜ୍ୟର କ୍ରୀଡା ଭିତିଭୂମିକୁ ବେଶ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି କ୍ରିକେଟ ଏକାଡେମୀରୁ ଅନେକ ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି| ଏହି ଏକାଡେମୀର କୋଚିଙ୍ଗ କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ ବୋଲି ଏକାଡେମୀ କତୃପକ୍ଷ ସୂଚନା ଦେଇଛନ୍ତି |