Cricket

ନ୍ୟୁଜିଲାଣ୍ଡକୁ ହରାଇଲl ଭାରତ :  କାଲି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍

ମୁମ୍ବାଇ: ପ୍ରଥମାର୍ଦ୍ଧ ସୁଦ୍ଧା ନ୍ୟୁଜିଲାଣ୍ଡ ପୁଣି ଥରେ ଆଇସିସି ପ୍ରତିଯୋଗିତାରେ ଭାରତକୁ ଘାଇଲା କରିବା ଭଳି ଲାଗୁଥିଲା। ହେଲେ ବରୁଣ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ଭାରତୀୟ ସ୍ପିନର୍‌ ଚମତ୍କାର ପ୍ରତ୍ୟାବର୍ତ୍ତନ କରି କିୱି ଦଳ ଉପରେ ଅସହ୍ୟ ଚାପ ସୃଷ୍ଟି କରିଥିଲେ। ସେଥିପାଇଁ ରନ୍ ହାର ବି ଦ୍ରୁତ ଗତିରେ ବଢ଼ିବଢ଼ି ଚାଲିଥିଲା। ପୁଣି ଦୁବାଇର ମନ୍ଥର ପିଚ୍‌ରେ ବ୍ୟାଟିଂ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଉଥିଲା। ଉଭୟ ପଟୁ ପଡ଼ୁଥିବା ଚାପରେ ଚାପି ହୋଇ ନ୍ୟୁଜିଲାଣ୍ଡର ଜଣକ ପରେ ଜଣେ ବ୍ୟାଟର୍‌ ନିଜନିଜ ୱିକେଟ୍ ହରାଇ ଚାଲିଥିଲେ।

ଏପରିକି ମାତ୍ର ୫୪ ରନ୍‌ରେ ଶେଷ ୬ ୱିକେଟ୍ ହରାଇ ୨୭ ବଲ୍ ପୂର୍ବରୁ ୨୦୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା ଏହି ଦଳ। ଫଳରେ ଭାରତ ୪୪ ରନ୍‌ର ଆତ୍ମବିଶ୍ବାସଭରା ବିଜୟ ହାସଲ କରି ନିଜର ତିନିଟି ଯାକ ଲିଗ୍ ମ୍ୟାଚ୍ ଜିତିବାର ଗୌରବ ହାସଲ କରିଥିଲା। ସେହିଭଳି ପୂରା ୬ ପଏଣ୍ଟ୍‌ ପାଇ ଗ୍ରୁପ୍-ଏ’ର ବିଜେତା ଭାବେ ସେମିଫାଇନାଲ୍‌କୁ ଯାଇଥିଲା। ଏବେ ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍‌ରେ ଭାରତ ଗ୍ରୁପ୍-ବି’ର ଦ୍ବିତୀୟ ଦଳ ଅଷ୍ଟ୍ରେଲିଆର ମୁକବିଲା କରିବ। ବୁଧବାରର ଦ୍ବିତୀୟ ସେମିଫାଇନାଲ୍‌ରେ ଗ୍ରୁପ୍-ବି’ ବିଜେତା ଦକ୍ଷିଣ ଆଫ୍ରିକା ଏବଂ ଗ୍ରୁପ୍‌-‘ଏ’ର ଦ୍ବିତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ମେଗା ଫାଇନାଲ୍ ୯ ତାରିଖରେ ଖେଳାଯିବ।

ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ ଅଧିକାଂଶ ସମୟ ଟିମ୍ ଇଣ୍ଡିଆ  ଉପରେ ଭାରି ପଡ଼ୁଥିବାରୁ ରବିବାର ମ୍ୟାଚ୍‌କୁ ନେଇ ଭାରତୀୟ ପ୍ରଶଂସକଙ୍କ ମନରେ କିଛିଟା ସଂଶୟ ରହିଥିଲା। ଅଧିନାୟକ ରୋହିତ ଶର୍ମା ଟସ୍ ହାରିବା ପରେ ସ୍ଥିତି ସାମାନ୍ୟ ଚିନ୍ତାଜନକ ବି ହୋଇ ଯାଇଥିଲା। ବୋଲିଂ ନିଷ୍ପତ୍ତି ନେବା ପରେ ନ୍ୟୁଜିଲାଣ୍ଡ ମାତ୍ର ୩୦ ରନ୍‌ରେ ଶୁବମନ୍ ଗିଲ୍, ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଆଉଟ୍ କରି ଭାରତକୁ ଜବରଦସ୍ତ ଝଟ୍‌କା ଦେଇଥିଲା। ହେଲେ ଘଡ଼ିସନ୍ଧି ମହୂର୍ତ୍ତରେ ଭାରତ ପାଳିକୁ ସଜାଡ଼ିବାର ଗୁରୁଦାୟିତ୍ବ ସଫଳତାର ସହ ସମ୍ଭାଳି ନେଇଥିଲେ ଶ୍ରେୟସ୍ ଆୟର ଓ ଅକ୍ଷର ପଟେଲ।

ଉଭୟ ଚତୁର୍ଥ ୱିକେଟ୍‌ରେ ୯୮ ରନ୍ ଯୋଡ଼ି ଭାରତର ରନ୍ ଗାଡ଼ିକୁ ଧାରଣାକୁ ନେଇ ଆସିଥିଲେ। ଅକ୍ଷରଙ୍କୁ ଅର୍ଦ୍ଧଶତକରୁ ୮ ରନ୍ ପୂର୍ବରୁ ଆଉଟ୍‌ କରି ରାଚିନ ରବୀନ୍ଦ୍ର ଏହି ଯୋଡ଼ିକୁ ଅଲଗା କରିଥିଲେ। ତେବେ ସେତେବେଳେ ଭାରତ ସ୍ଥିତି ଆପାତତଃ ସୁଧୁରି ଯାଇଥିଲା। ଶ୍ରେୟସ୍ ଲଢ଼ୁ୍ଆ ଅର୍ଦ୍ଧଶତକ ହାସଲ କରି ସମ୍ମାନଜନକ ସ୍କୋର୍‌ ଲାଗି ମୂଳଦୁଆ ପକାଇ ନେଇଥିଲେ।  ହେଲେ ତାଙ୍କୁ ଶତକ କରିବାକୁ ଦେଇ ନଥିଲେ କିୱି ବୋଲର। ଶ୍ରେୟସ୍ ଓ ଅକ୍ଷର ଯିବା ପରେ ହାର୍ଦିକ ପାଣ୍ଡ୍ୟା (୪୫) ‌‌ଶେଷ ଓଭର ଗୁଡ଼ିକରେ ଦ୍ରୁତ ବ୍ୟାଟିଂ କରି ଭାରତ ସ୍କୋର୍‌କୁ ୯ ୱିକେଟ୍ ବିନିମୟରେ ୨୪୯ ରନ୍‌ରେ ପହଞ୍ଚାଇ ଦେଇଥିଲେ।

ନ୍ୟୁଜିଲାଣ୍ଡର ପଶ୍ଚାତ୍‌ଧାବନ ପାୱାର ପ୍ଲେ ପର୍ଯ୍ୟନ୍ତ ଠିକ୍ ଠାକ୍ ଥିଲା। ତେବେ ଏହା ପରେ କେନ୍ ୱିଲିୟମସନ୍‌ଙ୍କୁ ଛାଡ଼ି ଅନ୍ୟ କୌଣସି ବ୍ୟାଟର୍ ଭାରତୀୟ ସ୍ପିନ୍ ବାହିନୀର ମୁକାବିଲା କରି ପାରି ନଥିଲେ। ଫଳରେ ନ୍ୟୁଜିଲାଣ୍ଡ କେବେବି ତାର ମନୋବଳ ବଢ଼ାଇ ପାରି ନଥିଲା। ଶେଷରେ ବରୁଣ-କୁଲଦୀପ-ଜାଡ଼େଜା ଓ ଅକ୍ଷରଙ୍କ ସ୍ପିନ୍ ଜାଲରେ ଫଶି ପ୍ରତିଯୋଗିତାରେ ପ୍ରଥମ ପରାଜୟ ବରଣ କରିଥିଲା। ଭାରତୀୟ ସ୍ପିନର ନିଜ ନିଜ ଭିତରେ ୯ ୱିକେଟ୍ ବାଣ୍ଟି ନେଇଥିଲେ। ଦିନିକିଆରେ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ହାସଲ କରିଥିବା ବରୁଣ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କ ଶାଣିତ ବୋଲିଂ ଆଗରେ ନ୍ୟୁଜିଲାଣ୍ଡର ମ୍ୟାଟ୍ ହେନରିଙ୍କ ୫ ୱିକେଟ୍ ହାସଲ ଫିକା ପଡ଼ିଯାଇଥିଲା। ଶେଷକୁ ଭାରତର ୪ ଜଣିଆ ସ୍ପିନ୍‌ ଆକ୍ରମଣ ଯୋଜନା ସଫଳ ହୋଇଥିଲା।

Related posts

ନୂଆ ‘ଲୋଗୋ’ ଜାରି କଲା ଗୁଜୁରାଟ ଟାଇଟନ୍ସ, ଉନ୍ମୋଚନ କଲେ ନେହେରା, ପାଣ୍ଡ୍ୟା ଓ ଶୁଭମନ

Odisha Sports Bureau

ଓପନିଙ୍ଗ କରିବାକୁ କୋହଲୀଙ୍କୁ ମନା

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ସିରିଜ୍ ହାତେଇଲା ୱେଷ୍ଟଇଣ୍ଡିଜ୍

Odisha Sports Bureau