Cricket

ରାଜସ୍ଥାନ ରୟାଲ୍‌ସକୁ ୮ ୱିକେଟ୍‌ରେ ହରାଇଲା କୋଲକାତାର

ଚଳିତ ଆଇପିଏଲ୍‌ରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ପ୍ରଥମ ବିଜୟ ହାସଲ କରିଛି। ବୁଧବାର ଏହି ଦଳ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍‌ସକୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ପଏଣ୍ଟ୍‌ ଖାତା ଖୋଲିଛି। ଅନ୍ୟପକ୍ଷରେ ରାଜସ୍ଥାନ ଦୁଇଟି ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ତାଲିକାର ସବାଶେଷ ସ୍ଥାନରେ ରହିଛି।

ଆଜି ରାଜସ୍ଥାନ ମାତ୍ର ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ‌କୋଲକାତା ୧୫ ବଲ୍ ପୂର୍ବରୁ କେବଳ ୨ ୱି‌କେଟ୍ ହରାଇ ହାସଲ କରି ନେଇଥିଲା। ମୋଇନ ଅଲୀ (୫) ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୮) ବିଫଳ ହୋଇଥିଲେ। ତେବେ ଅନ୍ୟତମ ଓପନର୍ କ୍ବିଣ୍ଟନ୍ ଡି’କକ୍ (୯୭*) ଓ ଇମ୍ପାକ୍ଟ ପ୍ଲେୟର ଅଙ୍ଗକ୍ରିସ୍ ରଘୁବଂଶୀ (୨୨*) ଅବିଭା‌ଜିତ ତୃତୀୟ ୱିକେଟ୍‌ରେ ୮୩ ରନ୍ ଯୋଡ଼ି କୋଲକାତାକୁ ସହଜ ବିଜୟ ଉପହାର ଦେଇଥିଲେ। ଜୋଫ୍ରା ଆର୍ଚରଙ୍କୁ ଛକା ମାରି ଅପରାଜିତ ଡି’କକ୍ କୋଲକାତାର ବିଜୟ ମୁଣ୍ଡି ମାରିଥିଲେ। ତେବେ ବୋର୍ଡରେ ଆଉ ରନ୍ ନଥିବାରୁ ମାତ୍ର ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।

 

ଟସ୍ ହାରି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ପାୱାର ପ୍ଲେ’ରେ ଗୋଟିଏ ୱିକେଟ୍ ହରାଇ ୫୪ ରନ୍‌ର ସମ୍ମାନଜନକ ସ୍କୋର୍ କରିଥିଲା। ଏହା ପରେ କିନ୍ତୁ ମୋଇନ ଅଲୀ ଓ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ୍ ଜାଲରେ ଫସି ହଠାତ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୪୯ ରନ୍ ଭିତରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏପରିକି ପ୍ରତିଟି ରନ୍ ପାଇଁ ଲଢ଼େଇ କରିଥିଲା। ଫଳରେ ୧୧ ଓଭରରେ ଅଧାଦଳ ହରାଇ ୮୨ ରନ୍‌ରେ ସଂଘର୍ଷ କରିଥିଲା। ଏହା ପରେ ମଧ୍ୟ ଏହି ଦଳର ୱିକେଟ୍ ପତନ ଧାରା ଅଟକି ନଥିଲା। ଇମ୍ପାକ୍ଟ ପ୍ଲେୟର ଶୁଭମ ଦୁବେ (୯)ଙ୍କ ସହ ଏହି ଦଳର ପୂରା ମଧ୍ୟ ଓ ନିମ୍ନକ୍ରମ କୋଲକାତା ବୋଲର୍‌ଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ସେଥିପାଇଁ ରାଜସ୍ଥାନ ଏକଦା ଦେଢ଼ଶହ ଛୁଇଁବା ନେଇ ଘୋର ଆଶଙ୍କା ସୃଷ୍ଟି ହୋଇଥିଲା।

‌‌ତେବେ ଶେଷ ଦୁଇ ଓଭରରେ ଜୋଫ୍ରା ଆର୍ଚର ଦୁଇଟି ଛକା ମାରିବା ସହ ମାତ୍ର ୭ ବଲ୍‌ରୁ ୧୬* ରନ୍ କରିବା ପରେ କଷ୍ଟେମଷ୍ଟେ ୧୫୧ ରେ ପହଞ୍ଚିଥିଲା। ଯାହା ଚଳିତ ଆଇପିଏଲ୍‌ର ସର୍ବନିମ୍ନ ଦଳଗତ ସ୍କୋର୍ ଥିଲା। ବରୁଣ ଓ ମୋଇନ ୮ ଓଭର  ବୋଲିଂ କରି ମାତ୍ର ୪୦ ରନ୍ ବିନିମୟରେ ୪ ୱିକେଟ୍ କରାୟତ୍ତ କରିଥିଲେ। ଏହା ହିଁ ଦୁଇ ଦଳ ମଧ୍ୟରେ ପ୍ରମୁଖ ଫରକ ଥିଲା। ସେପଟେ ରାଜସ୍ଥାନର ଜଣେ ହେଲେ ବି ଖେଳାଳି ଅର୍ଦ୍ଧଶତକ ଛୁଇଁ ପାରି ନଥିଲା ବେଳେ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ ସର୍ବାଧିକ ୩୩ ରନ୍ କରିଥିଲେ। କାମଚଳା ଅଧିନାୟକ ରିୟାନ ପରାଗ ଲଗାତାର ମ୍ୟାଚରେ ବିଫଳ ହେବା ଦଳକୁ ସମସ୍ୟାରେ ପକାଇଥିଲା।

Related posts

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା

Odisha Sports Bureau

ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ନେଇ ବିସିସିଆଇକୁ ପ୍ରସ୍ତାବ

Odisha Sports Bureau

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଭାରତର ନିଷ୍ପତ୍ତି

Odisha Sports Bureau