Football

ଖେଳୁଆଡ ମନୋଭାବ ଏବଂ ଭାଇଚାରା ହିଁ ସୁସ୍ଥ ସମାଜର ମୂଳଦୁଆ- ମୁଖ୍ୟମନ୍ତ୍ରୀ

ଖେଳକୁଦ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ମାଧ୍ୟମରେ ସମାଜରେ ଏକତା, ଭାଇଚାରା ଓ ସଦ୍‍ଭାବନା ଅସିଥାଏ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ 16ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ- 2026 ରେ ଯୋଗଦେଇ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି କଳିଙ୍ଗ ଷ୍ଟାଡିଅମ ଠାରେ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସରରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ଓ ଟାଟା ଷ୍ଟିଲ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମିଡିଆ 11 ଟିମ୍ ଚମ୍ପିୟାନ ହୋଇଥିବା ବେଳେ ଅଫିସର୍‍ସ 11 ଟିମ୍ ରନର୍‍ସ ଅପ୍ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିକଟରେ ଚିନ୍ ଠାରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ହକି 2026ରେ ଚମ୍ପିଆନ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ଓଡିଶାରୁ ପ୍ରତିନିଧିତ୍ୱ କରିଥିବା ୭ଜଣ ପୁରୁଷ ଓ ୩ଜଣ ମହିଳା ହକି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପ୍ରତ୍ୟେକ ଖେଳାଳୀଙ୍କୁ ୧.୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।

ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ସମସ୍ତଙ୍କ ଉତ୍ସାହଜନକ ଅଂଶ ଗ୍ରହଣକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖେଳ ମୈଦାନରେ ଜିତିବା କିମ୍ବା ହାରିବା ଠାରୁ ବଡ କଥା ହେଉଛି ସ୍ପୋର୍ଟ୍ସମ୍ୟାନ୍ ସ୍ପିରିଟ୍। ଏହି ଖେଳ ମାଧ୍ୟମରେ ଆମ ସମସ୍ତଙ୍କ ମାଧ୍ୟରେ ଏକ ସମନ୍ୱୟ ମଧ୍ୟ ସ୍ଥାପନ ହେଉଛି। ଖେଳୁଆଡ ମନୋଭାବ ଏବଂ ଭାଇଚାରା ସୁସ୍ଥ ସମାଜର ମୂଳଦୁଆ । ଟାଟା ଷ୍ଟିଲର ସାମାଜିକ ଦାୟିତ୍ୱବୋଧତାକୁ ପ୍ରଶଂସା କରିବା ସହିତ ପ୍ରତିବର୍ଷ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଟାଟା ଷ୍ଟିଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ (କର୍ପୋରେଟ୍‌ ସର୍ଭିସେସ୍) ଶ୍ରୀ ଡି.ବି. ସୁନ୍ଦର ରମମ୍  ଓ ଅନ୍ୟ ବିଧାୟକ ଓ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Related posts

ପେଲେଙ୍କ ଶୋକ ଉତ୍ସବରେ ସାମିଲ ହେଲେ କୋଲକତାର ୩ ପ୍ରତିଦ୍ୱନ୍ଦୀ କ୍ଲବ

Odisha Sports Bureau

ପଡ଼ିଆକୁ ଫେରିଛନ୍ତି ବାଲା

Odisha Sports Bureau

ଶେଷ ନିଶ୍ୱାସ ତ୍ୟାଗ କଲେ ଭାରତୀୟ ଫୁଟବଲର ମହମ୍ମଦ ଜୁଲଫିକାରୁଦ୍ଦିନ

Odisha Sports Bureau