ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ରିଜଭୂଷଣଙ୍କ ବିରୋଧରେ ଏବେ ସାକ୍ଷୀ ଦେଇଛନ୍ତି ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି କି, ଜଣେ ମହିଳା କୁସ୍ତିଯୋଦ୍ଧା ବଳ ପ୍ରୟୋଗ କରି ବ୍ରିଜଭୂଷଣଙ୍କ କବଳରୁ ଖସିଆସିଥିଲେ । ବ୍ରିଜଭୂଷଣ ତାଙ୍କୁ ଜାବୁଡି ଧରିଥିବା ବେଳେ ସେ ତାଙ୍କୁ ଧକ୍କା ଦେଇ ସେଠାରୁ ପଳାଇ ଆସିଥିଲେ । ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ଏଭଳି ଏକ ବୟାନ ତାଙ୍କ ପାଇଁ ସମସ୍ୟା ବଢ଼ାଇ ଦେଇଛି ।
ଜଗବୀର ସିଂ ୨୦୦୭ ମସିହାରୁ ଅନ୍ତର୍ଜାତୀୟ କୁସ୍ତି ରେଫେରୀ ଭାବେ କାମ କରୁଛନ୍ତି । ସେ ଏକ ଘଟଣାର ଆଲୋକପାତ କରିବାକୁ ଯାଇ କହିଛନ୍ତି କି , ବ୍ରିଜଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କ ନିକଟରେ ଠିଆ ହୋଇଥିଲେ । ହେଲେ ମହିଳା ଜଣଙ୍କ ନିଜକ ଅସହଜ ମନେ କରୁଥିଲେ । ଏହାପରେ ବ୍ରିଜଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କ ହାତକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ତାଙ୍କୁ ଧକ୍କା ଦେଇ ସେଠାରୁ ପଳାଇ ଯାଇଥିଲେ । ଏହାସହ ମହିଳା କୁସ୍ତିଯୋଦ୍ଧାଙ୍କୁ ବାରମ୍ବାର ବ୍ରିଜଭୂଷଣ ହଇରାଣ କରୁଥିବା କଥା ସେ କହିଛନ୍ତି ।
କୁସ୍ତିଯୋଦ୍ଧା ଭିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କ ନେତୃତ୍ୱରେ କୁସ୍ତି ଖେଳାଳୀମାନେ ସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଛନ୍ତି । ୭ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ପରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆସନ୍ତା ସପ୍ତାହରେ ଦିଲ୍ଲୀ ପୋଲିସର ଏସଆଇଟି ଟିମ୍ କୋର୍ଟରେ ଯାଂଚ ରିପୋର୍ଟ ଦାଖଲ କରିବ ବୋଲି ଅନୁମାନ କରାଯାଉଛି । ପୋଲିସ ଏହି ମାମଲାରେ ୨୦୮ ଜଣଙ୍କ ବୟାନ ରେକର୍ଡ କରିଛି ।