ବିଭିନ୍ନ କୁଟନୈତିକ ଆକ୍ରମଣ ପରେ ଏବେ ବିସିିସିଆଇ ବଦଲା ନେଇପାରେ । ଏସିଆକପରେ ପାକିସ୍ତାନ ଉପରେ ଭାରତ ବଡ ନିଷ୍ପତ୍ତି ନେଇପାରେ । ଟି-୨୦ ଫର୍ମାଟରେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଏସିଆକପ ଖେଳାଯିବ । ଏହାର ଆୟୋଜନ କରିବ ଭାରତ । ୨୦୨୬ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ବାହାର ହୋଇପାରେ ବୋଲି ଭାରତୀୟ ପୂର୍ବତନ କ୍ରିକେଟର ଦାବି କରିଛନ୍ତି ।
ଗାଭାସ୍କରଙ୍କ କହିବା ଅନୁଯାୟୀ, ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି । ଆଉ ଏଭଳି ସ୍ଥିତିରେ ପାକିସ୍ତାନ ଭାରତ ଆସି ଏସିଆ କପ ଖେଳିବା ଏକ ପ୍ରକାର ଅସମ୍ଭବ । ତାଙ୍କ ମତରେ ବିସିସିଆଇ ସବୁବେଳେ ଭାରତ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିଥାଏ ଆଉ ଏସିଆ କପରେ ଏହା ହିଁ ଦେଖିବାକୁ ମିଳିପାରେ ।
ପାକିସ୍ତାନକୁ ବାହାର କରିବା ପାଇଁ ଏସିସିକୁ ଭାଙ୍ଗିବାକୁ ପଡ଼ିପାରେ । ଅର୍ଥାତ ଏସିସିର ଭବିଷ୍ୟତ ବି ବିପଦରେ ରହିଛି । ଯଦି ସ୍ଥିତି ନସୁଧୁରେ ତେବେ ଏସିସିର ଅସ୍ତିତ୍ୱ ବି ରହିବ ନାହିଁ । ଏସିଆ କପ ଜାଗାରେ ୩ କିମ୍ୱା ୪ ଦେଶ ମଧ୍ୟରେ କେବଳ ଗୋଟିଏ ଟୁର୍ଣ୍ଣାମେଣ୍ଟ ଖେଳ ହୋଇପାରେ । ଏସିଆକପର ଆୟୋଜନ ଦାୟିତ୍ୱ ଭାରତ ଶ୍ରୀଲଙ୍କା ପାଖରେ ରହିଛି । ସେଥିପାଇଁ ଭାରତ ପାକିସ୍ତାନ ବିରୋଧରେ କଠୋର ହୋଇପାରେ ବୋଲି ଗାଭାସ୍କର ମତ ରଖିଛନ୍ତି ।
ପହଲଗାମରେ ଏପ୍ରିଲ ୨୨ ତାରିଖରେ କିଛି ଆତଙ୍କବାଦୀ ନିରୀହ ପର୍ୟ୍ୟଟକଙ୍କୁ ଆକ୍ରମଣ କରିଥିଲେ । ହିନ୍ଦୁମାନଙ୍କୁ ଖୋଜି ଖୋଜି ଗୁଳିମାଡ କରିଥିଲେ ଆତଙ୍କୀ । ଯେଉଁଠି ୨୬ ଜଣ ପର୍ୟ୍ୟଟକଙ୍କ ଜୀବନ ଚାଲିଯାଇଥିଲା । ଆଉ ଏହାକୁ ନେଇ ଭାରତ ପାକିସ୍ତାନ ବିରୁଦ୍ଧରେ କଡା ନିଷ୍ପତ୍ତି ନେଉଛି, ଯାହା ପାକିସ୍ତାନ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।
ଗତ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିଥିଲା ପାକିସ୍ତାନ ହେଲେ ଭାରତ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଯେଉଁଠି ଭାରତ ହାଇବ୍ରିଡ ମଡେଲରେ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିଲା । ଆଉ ଚାମ୍ପିୟନ ବି ହୋଇଥିଲା । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏହାରି ଭିତରେ ଏସିଆ କପ୍ କୁ ନେଇ କେଉଁ ନିଷ୍ପତ୍ତି ହେବ ତାହା ଦେଖିବା ବାକି ରହିଲା ।
previous post