ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ୧୩ରେ ହେବାକୁ ତିବା ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଲାଗିଲା ବ୍ରେକ । ପୁଣି ସିରିଜ ଉପରେ କାରୋନାର ପ୍ରଭାବ ଦେଖାଦେଇଛି । କୋରୋନାରେ ଶ୍ରୀଲଙ୍କାର କିଛି ସଦସ୍ୟ ଆକ୍ରାନ୍ତ ହୋଇଥିବାରୁ ଏହି ସିରିଜର କାର୍ଯ୍ୟସୂଚୀରେ ଆସିଛି ପରିବର୍ତ୍ତନ । ଶ୍ରୀଲଙ୍କା ଦଳର ଡାଟା ଆନାଲିଷ୍ଟ ଜିଟି ନିରୋଶନ ଏବଂ ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଉଭୟ କୋରୋନା ଆକ୍ରାନ୍ତ ହୋଇଥିବାରୁ ସିରିଜ ବିଳମ୍ବରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ପୁଣି ଥରେ ସିରିଜର ସୂଚୀ ନୂଆ କରି ତିଆରି କରାଯିବ । ତେବେ ଆସନ୍ତା ୧୩ରେ ଆରମ୍ଭ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ପରିବର୍ତ୍ତନ ହୋଇ ୧୭ କିମ୍ବା ୧୮ରେ ଆରମ୍ଭ ହେବ ବୋଲି କୁହାଯାଉଛି । ଉଭୟ ଦଳ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବବାର ସୂଚୀ ରହିଛି ।
ସୂଚନା ମୁତାବକ ଦିନିକିଆ ମ୍ୟାଚ ଗୁଡିକ ୧୭, ୧୯ ଓ ୨୧ ତାରିଖରେ ଖେଳାଯିବାର ସମ୍ଭାବନା ରହିଛି । ସେହିପରି ଟି-ଟ୍ୱେଣ୍ଟି ମ୍ୟାଚ ତାରିଖ ସମ୍ଭବତଃ ୨୪,୨୫ ଏବଂ ୨୭ରେ ଖେଳାଯାଇପାରେ । ତେବେ ପୂର୍ବରୁ ସିରିଜ ୧୩ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବାର ସୂଚୀ ରହିଥିଲା । ସିରିଜ ମଧ୍ୟରେ କୋରୋନାର ପ୍ରଭାବ ହେତୁ ଏହି ନିଷ୍ପତ୍ତିକୁ ବିସିସଆଇ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ କରିଛି ।