Hockey

ଏଫଆଇଏଚ୍ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାକିସ୍ତାନରେ ଖେଳାଯିବ

ଇସଲାମାବାଦ:  ଦୀର୍ଘ ୧୯ ବର୍ଷ ପରେ ପାକିସ୍ତାନକୁ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଫେରିବ। ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୪ ତାରିଖ ମଧ୍ୟରେ ଲାହୋରଠାରେ ଅଲିମ୍ପିକ୍ ଯୋଗ୍ୟତା ପର୍ୟ୍ୟାୟ ମୁକାବିଲା ଆୟୋଜନ କରିବା ପାଇଁ ଆନ୍ତର୍ଜାତିକ ହକି ମହାସଂଘ ଅଧିକାର ପ୍ରଦାନ କରିଛି। ଦୁର୍ଭାଗ୍ୟବଶତଃ ୨୦୧୬ ଓ ୨୦୨୧ ଅଲିମ୍ପିକ୍ସ ପାଇଁ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିପାରିନଥିଲା।

ଶେଷ ଥର ପାଇଁ ୨୦୦୪ରେ ପାକିସ୍ତାନରେ ଏଫ୍ଆଇଏଚ୍ ଇଭେଣ୍ଟ ଆୟୋଜିତ ହୋଇଥିଲା। ଦୀର୍ଘ ବର୍ଷ ପରେ ଆନ୍ତର୍ଜାତିକ ହକି ପାକିସ୍ତାନକୁ ଫେରିଥିବାରୁ ହକିପ୍ରେମୀମାନେ ନିଶ୍ଚିତ ଭାବେ ଉତ୍ସାହିତ ହେବେ। ଏଭଳି ପଦକ୍ଷେପକୁ ଅନେକ ଦେଶ ସମର୍ଥନ କରିଛନ୍ତି। ତେଣୁ ଉକ୍ତ ଦେଶରେ ହକିର ଉତ୍ଥାନ ପାଇଁ ଏହା ନିଶ୍ଚିତ ଭାବେ ସହାୟକ ହେବ ବୋଲି ଏଫ୍ଆଇଏଚ୍ ମହାସଚିବ ହାଇଦର ହୁସେନ୍ ସୂଚନା ଦେଇଛନ୍ତି।

ପ୍ରତ୍ୟେକ ଅଲିମ୍ପିକ ଯୋଗ୍ୟତା ପର୍ୟ୍ୟାୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ୩ ଦଳ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଆଗାମୀ ଅଲିମ୍ପିକ୍ ଯୋଗ୍ୟତା ପର୍ୟ୍ୟାୟରେ ଏସିଆର ଶ୍ରେଷ୍ଠ ୫ ଦଳ ସହିତ ୟୁରୋପରୁ ୭, ପାନ୍ ଆମେରିକାରୁ ୨, ଆଫ୍ରିକା ଓ ଓସେନିଆରୁ ଗୋଟିଏ ଲେଖାଏଁ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ପାକିସ୍ତାନ ବର୍ତ୍ତମାନ ବିଶ୍ବ ମାନ୍ୟତାରେ ୧୬ତମ ସ୍ଥାନରେ ଥିଲେ ମଧ୍ୟ ଯୋଗ୍ୟତା ପର୍ୟ୍ୟାୟରେ ଅଂଶଗ୍ରହଣ କରିପାରିବ। ଏପରିକି ଏସୀୟ କ୍ରୀଡ଼ାରେ ଭାରତ, କୋରିଆ, ମାଲେସିଆ, ଜାପାନ, ଚୀନ ଭଳି ଦଳଙ୍କଠୁ ପରାଜିତ ହେଲେ ବି ପାକିସ୍ତାନ ଆୟୋଜକ ଭାବେ ଯୋଗ୍ୟତା ପର୍ୟ୍ୟାୟରେ ଖେଳିପାରିବ ବୋଲି କୁହାଯାଇଛି।

Related posts

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

Odisha Sports Bureau

ବିଶ୍ୱକୁ ମିଳିଲା ନୂଆ ଚମ୍ପିଆନ

Odisha Sports Bureau

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Sports Bureau