ନୂଆଦିଲ୍ଲୀ: ପୁଣି ଦଳ ସହିତ ପୁରୁଣା ଫର୍ମକୁ ଫେରିଲେ କ୍ୟାପ୍ଟେନ କୁଲ । ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ । ଏହା ସହ ଆଇପିଏଲ ଇତିହାସରେ ନବମ ଥର ପାଇଁ ଦଳ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ପ୍ରଥମ କ୍ୱାଲିଫାୟାରରେ ଦିଲ୍ଲୀକୁ ୪ ୱିକେଟରେ ହରାଇ ପ୍ରଥମ ଦଳ ଭାବେ ଚେନ୍ନାଇ ଫାଇନାଲରେ ଏଣ୍ଟ୍ରି କରିଛି ।
ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଟେବୁଲ ଟପ୍ପର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ କ୍ୟାପ୍ଟେନ କୁଲ ମାହି । ଦଳରେ ସାମିଲ ନଥିଲେ ଅଭିଜ୍ଞ ଖେଳାଳୀ ତଥା ମିଷ୍ଟର ଆଇପିଏଲ କୁହାଯାଉଥିବା ସୁରେଶ ରୈନା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ସ୍ଥାନରେ ପ୍ଲେଇଙ୍ଗ ଇଲେଭେନରେ ରବିନ ଉଥପ୍ପାଙ୍କୁ ସ୍ଥାନ ଦେଇଥିଲେ ମାହି । ଦିଲ୍ଲୀ କ୍ୟାପିଟାଲ୍ସର ଟପ ଅର୍ଡରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ ଜୋସ ହାଜେଲଉଡ । ଶିଖର ଧୱନ, ଶ୍ରେୟସ ଆୟରଙ୍କୁ ପାଭିଲିୟନ ପଠାଇବା ପରେ ମୋଇନ ଅଲୀ ଅକ୍ଷରଙ୍କ ୱିକେଟ ନେଇ ରିଷଭଙ୍କ ଏକ୍ସପେରିମେଣ୍ଟ ମଧ୍ୟ ଫେଲ କରି ଦେଇଥିଲେ । ତେବେ ପୃଥ୍ୱୀ ଶ’ ଏବଂ ରିଷଭଙ୍କ ଅର୍ଦ୍ଧଶତକ ସହିତ ହେଟମାୟାରଙ୍କ ୩୭ ରନର ଦ୍ରୁତ ପାଳି ସହାୟତାରେ ଦଳ ଚେନ୍ନାଇକୁ ବିଶାଳ ଲକ୍ଷ୍ୟ ଦେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା ।
ଏହି ବିଶାଳ ଲକ୍ଷ୍ୟର ପିଛା କରି ଚେନ୍ନାଇର ଅଭିଜ୍ଞ ଓପନର ଫାଫ ଡୁ ପ୍ଲେସିସ ମାତ୍ର ୧ ରନରେ ପାଭିଲିୟନ ଫେରିଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ରବିନ ଉଥପ୍ପା ଏବଂ ଋତୁରାଜ ଗାଏକ୍ୱାଡ । କିନ୍ତୁ ମାତ୍ର ୮ ରନ ମଧ୍ୟରେ ତିନୋଟି ୱିକେଟ ହରାଇ ପୁଣି ଦଳ ଅସୁବିଧାରେ ପଡିଥିଲା । ମୋଇନ ଅଲୀଙ୍କ ୱିକେଟ ପରେ ମ୍ୟାଚରେ ସମୟ ଥିଲା ମାହି ସୋ । ୬ ବଲରେ ୧୮ ରନ ସଂଗ୍ରହ କରି ପୁଣି ଥରେ ବେଷ୍ଟ ଫିନିସରର ଦାୟିତ୍ୱ ନେଇଥିଲେ ଧୋନୀ । ତାଙ୍କର ମାତ୍ର ୧୮ ରନର ପାଳି ଆଗରେ ଫିକା ପଡି ଯାଇଥିଲା ଗାଏକ୍ୱାଡ ଏବଂ ଉଥପ୍ପାଙ୍କ ଅର୍ଦ୍ଧଶତକୀୟ ଇନିଂସ ।