Cricket

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଭାରତୀୟ କ୍ରିକେଟ୍ ଦଳ: ବିସିସିଆଇ

ମୁମ୍ବାଇ:  ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ଅଂଶଗ୍ରହଣକୁ ବିସିସିଆଇ ଆପେକ୍ସ କାଉନସିଲରେ ଅନୁମୋଦନ ମିଳିଛି। ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହେଉଥିବା ଏହି ଏସୀୟ ମହାକୁମ୍ଭରେ ବିସିସିଆଇର ଦ୍ବିତୀୟ ପୁରୁଷ ଦଳ ଭାଗ ନେବ। ଏସୀୟ କ୍ରୀଡ଼ା ଇତିହାସରେ କ୍ରିକେଟ୍ ତୃତୀୟ ଥର ପାଇଁ ସାମିଲ ହୋଇଛି। ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେଉଥିବା ମହିଳା ବର୍ଗରେ ଭାରତର ମୁଖ୍ୟ ଦଳ ଏଥିରେ ଅଂଶଗ୍ରହଣ କରିବ।

ଶେଷଥର ପାଇଁ ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇଥିଲା ହେଲେ ସେଥିରେ ଭାରତ ଅଂଶଗ୍ରହଣ କରିନଥିଲା। ଏବେ ଏସୀୟ କ୍ରୀଡ଼ା ଆୟୋଜନ ସମୟ ବେଳକୁ ଭାରତରେ ଦିନିକିଆ ବିଶ୍ବକପ୍ ଆୟୋଜନ ହେଉଥିବାରୁ ମୁଖ୍ୟ ପୁରୁଷ ଦଳକୁ ଏସିଆ ଇଭେଣ୍ଟ ପାଇଁ ପଠାଯିବା ସମ୍ଭବ ନୁହେଁ। ଆନ୍ତର୍ଜାତିକ କ୍ରିକେଟରେ ବ୍ୟସ୍ତବହୁଳ ସମୟ ଚାଲିଥିବା ବେଳେ ତଥାପି ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଭାରତୀୟ ପୁରୁଷ ଓ ମହିଳା ଦଳକୁ ପଠାଯିବାକୁ ସହମତି ହୋଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଆଇପିଏଲ୍ ଭଳି ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ଋତୁରେ ମଧ୍ୟ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ କରାଯାଇଥିଲା। କିନ୍ତୁ ତାହାକୁ କେବଳ ୧୪ ଓଭର ପରେ କାର୍ୟ୍ୟକାରୀ କରାଯାଉଥିଲା ଏବଂ କିଏ ଇମ୍ପାକ୍ଟ ପ୍ଲେୟାର ରହିବେ ତାହା ଟସ୍ ପୂର୍ବରୁ ନାମ ଧାର୍ୟ୍ୟ କରାଯାଉଥିଲା। ହେଲେ ଆସନ୍ତା ଋତୁରେ ଏଥିରେ ପରିବର୍ତ୍ତନ ଅଣାଯିବ। ଆଇପିଏଲ୍ ଭଳି ଟସ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ବାଦ୍ ୪ ଜଣ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବେ। ସେମାନଙ୍କ ମଧ୍ୟରୁ ଜଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିପାରିବେ। ଇମ୍ପାକ୍ଟ ପ୍ଲେୟାର ବ୍ୟବହାର କରିବା ନିୟମକୁ ବାଧ୍ୟତାମୂଳକ କରାଯାଇନଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଖୁବ ଶୀଘ୍ର ମଇଦାନକୁ ଆସିବେ ଧୋନୀ

Odisha Sports Bureau

ଅଧିନାୟକ ପଦ ପାଇବ କିଏ ??

Odisha Sports Bureau

ବୁମାରଙ୍କ ପୁଅକୁ ଉପହାର ଦେଲେ ଶାହିନ ଶାହା ଆଫ୍ରିଦି , ଭିଡିଓ ହେଉଛି ଭାଇରାଲ

Odisha Sports Bureau