ସିଡନୀରେ ରୋହିତ ଶର୍ମାଙ୍କ ପାଓ୍ବାର ଶୋ । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରେ ୫୦ତମ ଓ ଦିନିକିଆରେ ୩୩ ଶତକ ହାସଲ କଲେ ରୋହିତ । ୧୦୫ ବଲରେ ଏହି ସଫଳତା ପାଇଛନ୍ତି ହିଟ୍ମ୍ୟାନ । ସେହିପରି ବିରାଟ କୋହଲି ୨ଟି ଡକ୍ ପରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଟିମ୍ ଇଣ୍ଡିଆ ହାରିଥିଲେ ମଧ୍ୟ ଶେଷ ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି ରୋହିତ ଏବଂ କୋହଲି । ୩୮.୩ ଓଭରରେ ୬୯ ବଲ ବାକି ଥାଇ କଙ୍ଗାରୁ ଦଳକୁ ୯ ଓ୍ବିକେଟରେ ପରାସ୍ତ କରିଛି ମେନ ଇନ ବ୍ଲୁ । ମ୍ୟାଚରେ ରୋହିତ ଅପରାଜିତ ୧୨୧ ଓ କୋହଲି ୭୪ ରନ୍ କରିଛନ୍ତି । ଶୁବମନ ଗିଲ୍ ୨୪ ରନ୍ କରି ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୩୬ ରନ କରି ଅଲଆଉଟ ହୋଇ ଯାଇଥିଲା । ହର୍ଷିତ ରାଣା ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଜବାବରେ ଭାରତ ୨୩୭ ରନର ବିଜୟ ଲକ୍ଷ୍ୟକୁ ୩୮.୩ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା । ରୋହିତ ଶର୍ମା ୧୦୫ ବଲ୍ରେ ୧୧ଟି ଚୌକା ଓ ୨ଟି ଛକା ବଳରେ ଦମଦାର ଶତକ ହାସଲ କରିଥିଲେ । ସେହିପରି ଫର୍ମକୁ ଫେରିଛନ୍ତି କିଙ୍ଗ୍ କୋହଲି । ସମାଲୋଚକଙ୍କ ମୁହଁରେ ଚୁପ୍ କରି ଅର୍ଦ୍ଧଶତକ ହାସଲ କରିଛନ୍ତି କୋହଲି । ଦୁଇଟି ମ୍ୟାଚ୍ରେ ଖାତା ଖୋଲିପାରିନଥିବା ବେଳେ ତୃତୀୟ ଦିନିକିଆରେ ଭଲ ପ୍ରଦର୍ଶନ କରି ସେ ଅର୍ଦ୍ଧଶତକ ହାସଲ କରିଛନ୍ତି ।

