Cricket

ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂରେ ସେମିଫାଇନାଲରେ ଭାରତର ୨୫୩ ରନର ପାହାଡ଼

ମୁମ୍ବାଇ: ଚୌକା ଓ ଛକାରେ ଗର୍ଜିଉଠିଲା Wankhede Stadium। ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ICC Men’s T20 World Cup 2026ର ଦ୍ୱିତୀୟ ସେମିଫାଇନାଲରେ ଭାରତ ବିଶାଳ ସ୍କୋର ଗଢ଼ିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୫୩ ରନ ସଂଗ୍ରହ କରିଛି। ଫଳରେ ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୫୪ ରନର ବିଶାଳ ଲକ୍ଷ୍ୟ ରହିଛି। ଚଳିତ ବିଶ୍ୱକପରେ ଭାରତ ଦ୍ୱିତୀୟଥର ପାଇଁ ୨୫୦ରୁ ଅଧିକ ରନ କରିଛି। ପ୍ରତିଥର ପରି ସେମିଫାଇନାଲରେ ମଧ୍ୟ ଭାରତର ଆରମ୍ଭ ନିରାଶାଜନକ ଥିଲା। ଓପନର ଅଭିଷେକ ଶର୍ମା ନିଜର ଖରାପ ଫର୍ମ ଜାରି ରଖି ୯ ରନ କରି ଆଉଟ୍ ହୋଇଥିଲେ। ତେବେ ଏହା ପରେ ପଡ଼ିଆରେ ଚୌକା ଓ ଛକାର ବର୍ଷା ଆରମ୍ଭ ହୋଇଥିଲା। ସଞ୍ଜୁ ସାମସନ ଓ ଇଶାନ କିଶନ ଇଂଲଣ୍ଡ ବୋଲରମାନଙ୍କୁ ଜୋରଦାର ପ୍ରହାର କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୯୭ ରନର ମୂଲ୍ୟବାନ ସାଂଘିକତା ଗଢ଼ି ଦଳ ପାଇଁ ବଡ଼ ସ୍କୋରର ଭିତି ରଖିଥିଲେ।

ଇଶାନ କିଶନ ମାତ୍ର ୧୮ଟି ବଲରେ ୪ଟି ଚୌକା ଓ ୨ଟି ଛକା ସହ ୩୯ ରନ କରିଥିଲେ। ଏହା ପରେ ସଞ୍ଜୁ ସାମସନ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୨ଟି ବଲରେ ୮ଟି ଚୌକା ଓ ୭ଟି ଛକା ସହ ୮୯ ରନର ଦମଦାର ଇନିଂସ ଖେଳିଥିଲେ। ସଞ୍ଜୁ ଓ ଶିବମ ଦୁବେ ମିଶି ଆଉ ୪୩ ରନ ଯୋଡ଼ିଥିଲେ। ପରେ ଶିବମ ଦୁବେ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ। ସେ ୨୫ଟି ବଲରେ ୧ଟି ଚୌକା ଓ ୪ଟି ଛକା ସହ ୪୩ ରନ କରିଥିଲେ, ଯଦିଓ ସେ ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୧ ରନ କରି ଆଉଟ୍ ହୋଇଥିଲେ। ଶେଷ ଓଭରଗୁଡିକରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା ଦଳକୁ ଜୋରଦାର ଫିନିସ୍ ଦେଇଥିଲେ। ତିଳକ ବର୍ମା ମାତ୍ର ୭ଟି ବଲରେ ୨୧ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲରେ ୨୭ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୫୩ ରନର ବିଶାଳ ସ୍କୋର ଗଢ଼ିଥିଲା। ନକଆଉଟ୍ ମ୍ୟାଚରେ ଏହା କୌଣସି ଦଳ ଦ୍ୱାରା ସର୍ବୋଚ୍ଚ ସ୍କୋର ଭାବେ ରେକର୍ଡ ହୋଇଛି।

Related posts

ଆଫଗାନିସ୍ଥାନର ଜବରଦସ୍ତ ଜିତ ପରେ ରାସିଦ ଖାନଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ପ୍ଲେ ଅଫରେ ପ୍ରଥମ ଦଳ ଭାବେ ଗୁଜରାଟ ଟାଇଟନ୍ସର ପ୍ରବେଶ

Odisha Sports Bureau

ହାରକୁ ନେଇ ବାଉଳା ଇଂଲଣ୍ଡ

Odisha Sports Bureau