ଦିନିକିଆ ବିଶ୍ୱକପ୍ ୨୦୨୩ ଭାରତରେ ଆୟୋଜନ ହେବାକୁ ଯାଉଛି । ଏହି ବିଶ୍ୱକପ ପୂର୍ବରୁ ବାଂଲାଦେଶ କ୍ରିକେଟ୍ ଟିମକୁ ବଡ ଝଟକା ଲାଗିଛି । ଟିମର ଅଧିନାୟକ ତାମିମ୍ ଇକବାଲ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ଅବସର ପରେ ୩୪ ବର୍ଷିୟ ତାମିମ୍ ଇକବାଲଙ୍କ ୧୬ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ସମାପ୍ତ ହେବାକୁ ଯାଉଛି । ଏକ ସାମ୍ବାଦିକ ସମ୍ମିଳନୀରେ ତାମିମ୍ ଇକବାଲ ଏହି ଅବସର ଘୋଷଣା କରିଥିଲେ । ତାମିମ୍ ଇସ୍ତଫା ଦେବା ପରେ ବାଂଲାଦେଶ କ୍ରିକେଟ ଟିମର କିଏ ଅଧିନାୟକ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଶାକିବ ଅଲ୍ ହସନ ଟି-୨୦ ରେ ଅଧିନାୟକ ଥିବା ବେଳେ ଲିଟନ ଦାସ ଟେଷ୍ଟ ଫର୍ମାଟ ପାଇଁ କ୍ୟାପଟେନ ରହିଛନ୍ତି ।
ତାମିମ୍ ଇକବାଲ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ ୭୦ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୫୧୩୪ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୧୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିଭଳି ଏକଦିବସୀୟ ମ୍ୟାଚରେ ତାମିମ୍ ମୋଟ ୮୩୧୩ ରନ୍ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ୧୪ଟି ଶତକ ଓ ୫୬ଟି ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ୟପଟେ ଫଟାଫଟ୍ କ୍ରିକେଟ ଟି-୨୦ରେ ତାମିମ୍ ୭୮ଟି ମ୍ୟାଚ୍ ଖେଳି ୧୭୫୮ ରନ୍ ସଂଗ୍ରହ କରିଥିଲେ । ଟି-୨୦ ଫର୍ମାଟରେ ତାମିମ୍ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲେ । ବାଂଲାଦେଶ ଚଟଗାଓଁ ଠାରେ ଆଫଗାନିସ୍ତାନ ଠାରୁ ୧୭ ରନରେ ପରାଜିତ ହେବା ପରେ ତାମିମ୍ ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି । ସାମ୍ବାଦିକ ସମ୍ମିଳନୀରେ ତାମିମ ଭାବବିହ୍ୱଳ ହୋଇ ଅବସର ଘୋଷଣା କରିଥିବା ଦେଖିବାକୁ ମିଳିଛି ।