ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ପି.ଭି.ସିନ୍ଧୁ ମାଲେସିଆ ଓପନ ସୁପର ୧୦୦୦ର ମହିଳା ସେମିଫାଇନାଲରେ ପରାଜିତ ହୋଇଛନ୍ତି। ସେ ଚୀନ ଖେଳାଳି ତଥା ବିଶ୍ବ ନଂ୨ ଓ୍ବାଙ୍ଗ ଝିୟିଙ୍କ ଠାରୁ ସିଧାସଳଖ ସେଟରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଗୋଡ଼ରେ ଯନ୍ତ୍ରଣା କାରଣରୁ ସିନ୍ଧୁ ଗତ ଅକ୍ଟୋବର ପରଠାରୁ ବ୍ୟାଡମିଣ୍ଟନ କୋର୍ଟରୁ ଦୂରେଇ ରହିଥିଲେ । ଆରୋଗ୍ୟ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ । ବେଶ କିଛିଦିନର ବ୍ୟବଧାନରେ ଫେରିଥିଲେ ବି ଏହି ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଆଜିର ପରାଜୟ ସହ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି ।

ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଓ୍ବାଙ୍ଗ ଝିୟିଙ୍କ ଠାରୁ ୧୬-୨୧, ୧୫-୨୧ ସେଟରେ ହାରିଯାଇଛନ୍ତି। ଉଭୟ ଗେମରେ ସିନ୍ଧୁ ପ୍ରାରମ୍ଭିକ ଅଗ୍ରଣୀ ହାସଲ କରିଥିଲେ ବି ଝିୟିଙ୍କ ସାମନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ ।
