Cricket

ଆଜି ଏଲିମିନେଟରରେ ମୁହାଁମୁହିଁ ହେବେ ମୁମ୍ବାଇ- ଲକ୍ଷ୍ନୌ

ଚେନ୍ନାଇ: ଗତ ଆଇପିଏଲରେ ଖରାପ ପ୍ରଦର୍ଶନ କରି ଶେଷ ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଏଲିମିନେଟରରେ ପହଞ୍ଚିଛି । ନାଟକୀୟ ଭାବେ ପ୍ଲେ ଅଫ୍ରେ ପହଞ୍ଚିଥିବା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଚେନ୍ନାଇରେ ବୁଧବାର ଖେଳାଯିବାକୁ ଥିବା ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। ଯଦି ମୁମ୍ବାଇ ବ୍ୟାଟିଂ ବାହିନୀ ପୁଣି ନିଜର ଚମକ ଦେଖାନ୍ତି ତେବେ କ୍ବାଲିଫାୟାର-୨କୁ ଯୋଗ୍ୟତା ଅର୍ଜନ କରିନେବା ସହ ଷଷ୍ଠ ଆଇପିଏଲ୍ ଟ୍ରଫି ହାତେଇବା ଲକ୍ଷ୍ୟରେ ଆଗେଇବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଗୁଜରାଟ ଜାଏଣ୍ଟସ୍ ହରାଇ ଦେବାରୁ ମୁମ୍ବାଇ ପ୍ଲେ ଅଫ୍ରେ ପ୍ରବେଶ କରିଥିଲା। ଅଲ୍ରାଉଣ୍ଡର କାମେରୁନ ଗ୍ରିନ (୩୮୧ ରନ୍), ସୂର୍ୟ୍ୟକୁମାର ଯାଦବ (୫୧୧ ରନ୍, ୧ ଶତକ, ୪ ଅର୍ଦ୍ଧଶତକ), ରୋହିତ (୩୧୩ ରନ୍) ଓ ଈଶାନ କିଶନ (୪୩୯ ରନ୍)ଙ୍କୁ ନେଇ ମୁମ୍ବାଇର ବ୍ୟାଟିଂ ଲାଇନ୍ ଦୃଢ଼ ରହିଛି। ବୋଲିଂରେ ପୀୟୂଷ ଚାୱଲା (୨୦) ଓ ଜାସନ ବେହରେନଡର୍ଫ (୧୪) ରହିଛନ୍ତି।
ଅନ୍ୟପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ ୧୪ ମ୍ୟାଚ୍ରୁ ୮ ବିଜୟ ଓ ଗୋଟିଏ ବାତିଲ ମ୍ୟାଚ୍ରୁ ୧୭ ପଏଣ୍ଟ ପାଇ ପ୍ଲେ ଅଫ୍ ସ୍ଥାନ ସୁରକ୍ଷିତ କରିଥିଲା। ଗତ ସଂସ୍କରଣରେ ଏହି ଦଳ ଆର୍ସିବିଠୁ ପ୍ଲେ ଅଫ୍ରେ ହାରି ଏଲିମିନେଟ୍ ହୋଇଥିଲା। ଏଥର ଲକ୍ଷ୍ନୌ ଏହି ଭୁଲ୍ ନ କରି ଆଗକୁ ବଢ଼ିବାକୁ ଚାହିଁବ। ଏହାର ନିୟମିତ ଅଧିନାୟକ କେଏଲ୍ ରାହୁଲ ଆହତ ଯୋଗୁଁ ବାଦ୍ ପଡ଼ିବା ପରେ କୃନାଲ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ଭଲ କରି ଏହି ସ୍ଥାନରେ ପହଞ୍ଚିଛି। ଲକ୍ଷ୍ନୌକୁ ବଡ଼ ସ୍କୋର୍ ଦେବାକୁ ମାର୍କସ ଷ୍ଟୋଇନିସ (୩୬୮ ରନ୍), କାୟଲ ମେୟର୍ସ (୩୬୧ ରନ୍) ଓ ନିକୋଲାସ ପୂରନ (୩୫୮ ରନ୍) ରହିଛନ୍ତି। ବୋଲିଂରେ ଦଳର ଅଗ୍ରଣୀ ୱିକେଟ୍ ହାସଲକାରୀ ସ୍ପିନର ରବି ବିଷ୍ଣୋଇ (୧୬)ଙ୍କ ସହ ଭେଟେରାନ ଅମିତ ମିଶ୍ରା, ଅଧିନାୟକ କୃନାଲ ଓ ଆଫ୍ଗାନୀ ଦ୍ରୁତ ବୋଲର ନବୀନ-ଉଲ-ହକ୍ ଓ ଆୱେଶ ଖାନ ରହିଛନ୍ତି। ଉଭୟ ଦଳ ଚଳିତ ଆଇପିଏଲ୍ରେ ଥରେ ମୁହାଁମୁହିଁ ହୋଇଥିଲା ବେଳେ ଲକ୍ଷ୍ନୌ ବାଜି ମାରିନେଇଥିଲା। ଏଥର ମୁମ୍ବାଇ ଏହି ମ୍ୟାଚରେ ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

Related posts

ଦ୍ରୁତତମ ଅଧିନାୟକ ବିରାଟ

Odisha Sports Bureau

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ଡେଭିଡ ୱାର୍ଣ୍ଣର

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

Odisha Sports Bureau