ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଯାଉଛି ଆଇପିଏଲର ମେଗା ଅକ୍ସନ । ସେଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ୮ଟି ଯାକ ଟିମ ନିଜ ନିଜ ଦଳକୁ ନେଇ ଚୟନ କାର୍ଯ୍ୟକ୍ରମରେ ବ୍ୟସ୍ତ । କାହାକୁ ରିଟେନ କରିବେ କାହାକୁ ଛାଡିବେ ସେ ନେଇ ଚାଲିଛି ହିସାବ ନିକାଶ । ତେବେ ଏହି ସମୟରେ ରବିଚନ୍ଦ୍ରନ ଅଶ୍ୱୀନ ଦେଇଛନ୍ତି ଏକ ବଡ ବୟାନ ।
ଅଶ୍ୱୀନଙ୍କୁ ତାଙ୍କ ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ସିଜନ ପାଇଁ ରିଟେନ କରି ନ ପାରେ ବୋଲି ସେ କହିଛନ୍ତି । ନିଜ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଏ ନେଇ ପ୍ରକାଶ କରିଛନ୍ତି ଅଶ୍ୱୀନ । ଯଦି ଦଳ ତାଙ୍କୁ ରିଟେନ କରିଥାନ୍ତା, ତେବେ ଏହା ଜଣା ପଡିଥାନ୍ତା, ଯାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ । କେବଳ ଅଶ୍ୱୀନ ନୁହେଁ, ଦଳର ପୂର୍ବତନ ଅଧିନାୟକ ଶ୍ରେୟସ ଅୟରଙ୍କୁ ମଧ୍ୟ ଦଳ ରିଟେନ କରି ନ ପାରେ । ତେବେ ଏହା ଆଗରୁ ଜଣା ପଡିଯାଇଥିଲା, କାରଣ ସେ ଦଳର ଅଧିନାୟକ ହେବାକୁ ଚାହୁଁଥିଲେ । ଆହତ ପାଇଁ ସେ ୨୦୨୧ ଆଇପିଏଲରୁ ବାଦ ପଡିବାରୁ ତାଙ୍କ ସ୍ଥାନରେ ରିଷଭ ପନ୍ତ ଦଳର ନେତୃତ୍ୱ ନେଇଥିଲେ । କିନ୍ତୁ ଦଳକୁ ଫେରିବା ପରେ ମଧ୍ୟ ସେ ଅଧିନାୟକ ପଦବୀରୁ ବଞ୍ଚିତ ହୋଇଥିଲେ । ତେଣୁ ତାଙ୍କୁ ଦଳରେ ସ୍ଥାନ ମିଳି ନ ପାରେ ବୋଲି କହିଛନ୍ତି ଅଶ୍ୱୀନ ।
ଦିଲ୍ଲୀ କ୍ୟାପିଟାଲ୍ସ କେଉଁ ଖେଳାଳୀମାନଙ୍କୁ ରିଟେନ କରିବ ତାହା ଜଣାପଡିନାହିଁ । ତେବେ ଦଳର ଅଧିନାୟକ ରିଷଭ ପନ୍ତ ଏବଂ ଓପନର ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ଙ୍କୁ ଦଳ ରିଟେନ କରିପାରେ ବୋଲି ଆଶା ପ୍ରକଟ କରିଛନ୍ତି ଟିମ ଇଣ୍ଡିଆର ଭେଟେରାନ ସ୍ପିନର ଆର ଅଶ୍ୱୀନ ।