(ଓଡିଶା ସ୍ପୋର୍ଟସ ): ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ ବେଙ୍ଗାଲୁରୁସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ୧-୧ରେ ଡ୍ର କରିପାରିଛି । ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ବୋଲିଂ କ୍ଷେତ୍ରରେ କାଗିସୋ ରାବାଡା ୪ ଓଭର ବୋଲିଂ କରି ୩ଟି ୱିକେଟ ନେଇଥିବା ବେଳେ କ୍ୱିଣ୍ଟନ ଡି’କକଙ୍କ ଅପରାଜିତ ଶତକ ଦକ୍ଷିଣ ଆଫ୍ରିକାକୁ ସହଜ ବିଜୟ ଦେଇଥିଲା । ଶୃଙ୍ଖଳାର ପ୍ରଥମ ମ୍ୟାଚ ଧର୍ମଶାଳାରେ ବାତିଲ ହୋଇଥିବା ବେଳେ ମୋହାଲି ମୁକାବିଲାରେ ଭାରତ ବିଜୟୀ ହୋଇଥିଲା । ବେଙ୍ଗାଲୁରୁରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ଥିଲା । ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ନିର୍ଭୟରେ ଖେଳୁଥିଲେ । ସେମାନେ ଭାରତୀୟ ଖେଳାଳିଙ୍କୁ ଅତି ହାଲୁକା ଭାବେ ନେଇଥିଲେ।
ଭାରତର ଆଗ ଧାଡ଼ିର ଖେଳାଳିମାନେ ଦକ୍ଷିଣ ଆଫ୍ରିକା ନିକଟରେ ଆତ୍ମସମର୍ପଣ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ୧୩୫ ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଟସ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୩୪ ରନ କରିଥିଲା ।