Cricket

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହମ୍ମଦ ଆମୀର

(ଓଡିଶାସ୍ପୋର୍ଟସ): ପାକିସ୍ତାନର ପେସ୍ ବୋଲର ମହମ୍ମଦ ଆମୀର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ସେ ୨୭ବର୍ଷ ବୟସରେ ହିଁ କ୍ରିକେଟରୁ ସବୁଠାରୁ ବଡ ଫର୍ମାଟକୁ ଅଲବିଦା କହିଛନ୍ତି । ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ଆନୁଷ୍ଠାନିକ ଭାବେ ଏହି ସୂଚନା ଦେଇଛି । ଚଳିତ ବର୍ଷ ଆମୀର ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଶେଷ ଟେଷ୍ଟ ଖେଳିଥିଲେ । ଆମୀର ୨୦୦୯ରେ ମାତ୍ର ୧୭ ବର୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେ ପାକିସ୍ତାନ ପକ୍ଷରୁ ୩୬ଟି ଟେଷ୍ଟ ଖେଳି ୧୧୯ ୱିକେଟ ହାସଲ କରିଛନ୍ତି ।
ପିସିବି ପକ୍ଷରୁ ଜାରି ବିଜ୍ଞପ୍ତିରେ ଆମୀର କହିଛନ୍ତି, କ୍ରିକେଟର ଏହି ପାରମ୍ପରିକ ଫର୍ମାଟରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସମ୍ମାନର କଥା। ଏବେ ମୁଁ ନିଷ୍ପତ୍ତି ନେଇଛି ଯେ, କ୍ରିକେଟର ଏହି ଲମ୍ବା ଫର୍ମାଟରୁ ଦୂରେଇ ଧଳା ବଲ୍ (ସୀମିତ ଓଭର) କ୍ରିକେଟ୍ ଉପରେ ଅଧିକ ଫୋକସ୍ କରିଛି। ତେବେ ଟେଷ୍ଟ କ୍ରିକେଟ୍ ଛାଡ଼ିବା ନେଇ ମୁଁ ବହୁ ଆଗରୁ ଯୋଜନା କରିଥିଲି।
ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଖେଳିବା ମୋର ମୁଖ୍ୟ ଟାର୍ଗେଟ୍। ମୋ ପକ୍ଷେ ସନ୍ନ୍ୟାସ ନିଷ୍ପତ୍ତି ନେବା ସହଜ ନଥିଲା। ଅନେକ ଚିନ୍ତା କରିବା ପରେ ହିଁ ମୁଁ ଏହି ବଡ଼ ନିଷ୍ପତ୍ତି ନେଲି। ଆଗକୁ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ପାଖରେ କିଛି ଯୁବ ପ୍ରତିଭାଶାଳୀ ପେସ୍ ବୋଲର ଅଛନ୍ତି। ତେଣୁ ଏଭଳି ସମୟରେ ଟେଷ୍ଟ କ୍ରିକେଟରୁ ଅଲଗା ହେବା ଠିକ୍। ମୁଁ ଟେଷ୍ଟ କ୍ରିକେଟରେ ନିଜର ସବୁ ସାଥି ଖେଳାଳି ଏବଂ ପ୍ରତିପକ୍ଷ ଖେଳାଳିଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ସହିତ ଏବଂ ବିପକ୍ଷରେ ଖେଳିବା ସମ୍ମାନ କଥା। ମୋର ବିଶ୍ୱାସ ଯେ, ଦିନିକିଆ ଓ ଟି-୨୦ କ୍ରିକେଟରେ ମଧ୍ୟ ସେମାନଙ୍କ ସହ ପୁଣିଥରେ ଖେଳିବାକୁ ସୁଯୋଗ ପାଇବି।
ସୂଚନାଯୋଗ୍ୟ, ଟେଷ୍ଟ କ୍ରିକେଟରେ ଆମୀରଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬/୪୪, ଯାହା ସେ ୨୦୧୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ କିଙ୍ଗଷ୍ଟନ ଟେଷ୍ଟରେ ହାସଲ କରିଥିଲେ। ସେ ଟେଷ୍ଟରେ ୪ଥର ୫ରୁ ଅଧିକ ୱିକେଟ୍ ନେଇଛନ୍ତି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ମଧ୍ୟ ଆମୀର ଦମଦାର ବୋଲିଂ କରି ୮ ମ୍ୟାଚରେ ୧୭ ୱିକେଟ୍ ନେଇଥିଲେ।

Related posts

ଯଶସ୍ୱୀ ଜୟସୱାଲ ଏବଂ ଶେଫାଲି ବର୍ମାଙ୍କୁ NADA ପଠାଇଲା ନୋଟିସ…

Odisha Sports Bureau

ପଞ୍ଜାବର ଏହି ଦ୍ରୁତ ବୋଲରଙ୍କ ୩୬ ବର୍ଷ ବୟସରେ ପରଲୋକ

Odisha Sports Bureau

ଦିଲ୍ଲୀ ଟିମରେ ସିଲେକ୍ସନ ହେଲେ ସେହ୍ୱାଗଙ୍କ ପୁଅ

Odisha Sports Bureau