(ଓଡିଶା ସ୍ପୋର୍ଟ): ବିଶ୍ୱକପ ପାଖେଇ ଆସୁଥିବା ବେଳେ ଭାରତୀୟ ଦଳ ବିଶ୍ୱ ବିଜୟୀ ହେବାକୁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି । ବିଶ୍ୱକପ ପାଇଁ କ୍ରିକେଟ ଏକ୍ସପର୍ଟ ତଥା ପୂର୍ବ କ୍ରିକେଟର ମାନେ ନିଜ ନିଜ ପ୍ରସ୍ତାବ ବା ମତ ଦେଉଥିବା ବେଖିବାକୁ ମିଳୁଛି । ଏମିତି ହିଁ ଗୋଟିଏ ପ୍ରସ୍ତାବ ଭାରତର ପୂର୍ବତନ ଉପ ଅଧିନାୟକ ଅଜୟ ଜାଡେଜା ଦେଇଛନ୍ତି । ସେ ଭାରତୀୟ ଟିମ ମ୍ୟାନେଜମେଣ୍ଟକୁ ପ୍ରସ୍ତାବ ଦେଇ କହିଛନ୍ତି କି, ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ବିରାଟଙ୍କ ହାତରେ ନ ଦେଇ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କୁ ଦିଆଯିବା ଦରକାର । ଏକ ଇଣ୍ଟରଭ୍ୟୁରେ ସେ ବିଶ୍ୱକପ ଉପରେ ଆଲୋଚନା କରିବା ସହିତ ଏହି ପ୍ରସ୍ତାବ ଦେଇଥିଲେ । ଏହା ସହିତ ବିଶ୍ୱକପ ପାଇଁ ନିଜ ଟିମ ବି ବାଛିଥିଲେ ଜାଡେଜା । ଏହି ଟିମରେ ସେ କେବଳ ଯେ ଧୋନିଙ୍କୁ ଅଧିନାୟକ କରିନାହାଁନ୍ତି, ଦିନିକିଆ କ୍ରିକେଟରୁ ବାହାରେ ଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ଦଳରେ ସାମିଲ କରିଛନ୍ତି ।
ଜାଡେଜାଙ୍କ ବିଶ୍ୱକପ ଟିମରେ ୪ ଜଣ ସ୍ପିନର ସାମିଲ ଅଛନ୍ତି । ଅଶ୍ୱିନଙ୍କ ବ୍ୟତିତ ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ ଓ କୁଲହୀପ ଯାଦବଙ୍କୁ ଦଳରେ ସାମିଲ କରିଛନ୍ତି ଅଜୟ ଜାଡେଜା । ଧୋନିଙ୍କୁ ପୁଣିଥରେ ଅଧିନାୟକ କାହିଁକି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି, ସେ କେବଳ ବିଶ୍ୱକପ ପାଇଁ ହିଁ ଧୋନିଙ୍କୁ ଅଧିନାୟକ କରିବା ପାଇଁ ଚାହାଁନ୍ତି । କାରଣ ଧୋନିଙ୍କ ପାଖରେ ଅଧିନାୟକର ବିଶେଷ ଅନୁଭବ ରହିଛି । ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ କି, ଯଦି କାହାକୁ ଲାଗୁଛି ବିରାଟ, ଧୋନିଙ୍କ ଠାରୁ ଭଲ ଅଧିନାୟକ କରିପାରିବେ, ତେବେ ସେ ମୋ ସହିତ ଯୁକ୍ତି କରିପାରନ୍ତି । ଦୁନିଆରେ ଏମିତି କେହି ବି ନାହାଁନ୍ତି, ଯେ କହିପାରିବ କି ଧୋନି ରଣନୀତି ପ୍ରସ୍ତୁତ କରିବା ମାମଲାରେ ୧ ନମ୍ୱର ନୁହେଁ ୨ ନମ୍ୱର ବୋଲି ।