More Sports

ରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ ଦ୍ୱିମୁକୁଟ ଅର୍ଜନ

(ଓଡିଶାସ୍ପେଟର୍ସ /ନାଗପୁର): ରଣଜୀ ଚାମ୍ପିୟନ ବିଦର୍ଭ ଘରୋଇ କ୍ରିକେଟରେ ତା’ର ଶ୍ରେଷ୍ଠତା ବଜାୟ ରଖିଛି। ଲଗାତାର ଦ୍ୱିତୀୟ ଋତୁ ପାଇଁ ରଣଜୀ ଟ୍ରଫି ଏବଂ ଇରାନି କପ୍ ହାସଲ କରି ବିଦର୍ଭ ପୁଣି ଥରେ ଦ୍ବିମୁକୁଟ ଅର୍ଜନ କରିଛି। ପୂର୍ବ ମହାରାଷ୍ଟ୍ରରେ ଥିବା ଏହି ସ୍ବତନ୍ତ୍ର କ୍ରିକେଟ୍ ସଂଘ ଶେଷରେ ଘରୋଇ କ୍ରିକେଟ୍ରେ ପ୍ରାଧାନ୍ୟ ବିସ୍ତାର କରିଛି। ସେହିଭଳି ମୁମ୍ବାଇ ଏବଂ କର୍ଣ୍ଣାଟକ ପରେ ତୃତୀୟ ଦଳ ଭାବେ ଉଭୟ ମୁକୁଟକୁ ବଜାୟ ରଖିବାରେ ବିଦର୍ଭ ସକ୍ଷମ ହୋଇଛି। ମୁମ୍ବାଇ ୧୦ ଥର ଏବଂ କର୍ଣ୍ଣାଟକ ୩ ଥର ଏଭଳି ଦ୍ବିମୁକୁଟ ଅର୍ଜନ କରିଥିଲେ। ଶନିବାର ଇରାନି କପ୍ ଫାଇନାଲରେ ମାତ୍ର ୧୧ ରନ୍ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲେ ମଧ୍ୟ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ବିଦର୍ଭ ପ୍ରତିପକ୍ଷ ଅବଶିଷ୍ଟ ଭାରତ ଦଳକୁ ପଛରେ ପକାଇ ଦେଇଥିଲା। ବିଦର୍ଭ ସମ୍ମୁଖରେ ୨୮୦ ରନ୍ ବିଜୟ ଲକ୍ଷ୍ୟ ଧାର୍ୟ୍ୟ ହୋଇଥିବା ବେଳେ ପଞ୍ଚମ ତଥା ଶେଷ ଦିନର ଖେଳ ବନ୍ଦ ବେଳକୁ ଘରୋଇ ଦଳ ୫ ୱିକେଟ୍ରେ ୨୬୯ ରନ୍ କରିଥିଲା। ପ୍ରଥମ ପାଳିରେ ଅଗ୍ରଣୀ ପାଇଥିବା ବିଦର୍ଭ (୪୨୫-୩୩୦) ମୁକୁଟ ବିଜେତାକୁ ନିଶ୍ଚିତ କରିଥିଲା। ୧୮ ବର୍ଷୀୟ ବାମହାତୀ ବ୍ୟାଟସମ୍ୟାନ୍ ଅଥର୍ବ ଟାଇଡ୍ (୭୨) ଏବଂ ଅଭିଜ୍ଞ ପେସାଦାର ଖେଳାଳି ଗଣେଶ ସତୀଶ (୮୭)ଙ୍କ ପାଳି ବଳରେ ବିଦର୍ଭ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ରୋମାଞ୍ଚକ ଭାବେ ବଞ୍ଚିତ ରହିଥିଲା। ଅକ୍ଷୟ କର୍ନେୱାର (୧୦୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ବିଦର୍ଭ ଦଳ ସହିତ ଜଡ଼ିତ ଥିବା ଓଡ଼ିଆ ପ୍ରଶିକ୍ଷକ ଅମୀୟ କୁମାର ମହାନ୍ତିଙ୍କୁ ମୁକୁଟ ତାଲିକାରେ ମଧ୍ୟ ଆଉ ଏକ ଟ୍ରଫି ସଂଯୋଗ ହୋଇଯାଇଛି। ବିହାରୀଙ୍କ ବିରଳ ହ୍ୟାଟ୍ରିକ୍: ଏହି ମ୍ୟାଚ୍ର ଉଭୟ ପାଳିରେ ଶତକ ହାସଲ କରିଥିବା ଟେଷ୍ଟ୍ ତାରକା ହନୁମା ବିହାରୀ (୧୧୪ ଏବଂ ୧୮୦ଞ୍ଚ) ଏକ ବିରଳ କୀର୍ତିମାନର ଅଧିକାରୀ ହୋଇଥିଲେ। ଇରାନି କପ୍ର ଉଭୟ ପାଳିରେ ଶତକ ହାସଲ କରିବାରେ ସେ ଶିଖର ଧାୱନଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଥିଲେ। ୨୦୧୧ ମସିହାରେ ଧାୱନ ଏଭଳି ଉଭୟ ପାଳି ଶତକ ଜମାଇଥିଲେ। କିନ୍ତୁ ଲଗାତାର ୩ ଇରାନି କପ୍ ପାଳିରେ ଶତକ ଜମାଇ ବିହାରୀ ବିରଳ ହ୍ୟାଟ୍ରିକ୍ କରିଛନ୍ତି। ଗତବର୍ଷ ବିହାରୀ ମଧ୍ୟ ଇରାନି କପ୍ରେ ବିଦର୍ଭ ବିପକ୍ଷରେ ଶତକୀୟ ପାଳି (୧୮୩) ଖେଳିଥିଲେ।
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ସିଆରପିଏଫ୍ ଯବାନଙ୍କ ପରିବାର ସହ ସାରା ଦେଶ ଛିଡ଼ା ହୋଇଥିଲା ବେଳେ ଲଗାତାର ଦ୍ବିତୀୟ ଥର ଇରାନି କପ୍ ଜିତିଥିବା ବିଦର୍ଭ କ୍ରିକେଟ୍ ଦଳ ମଧ୍ୟ ଏହି କ୍ଷେତ୍ରରେ ପଛୁଆ ନାହିଁ। ଇରାନି କପ୍ ଜିତିବା ବାବଦରେ ପାଇଥିବା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶିକୁ ବିଦର୍ଭ ଖେଳାଳିମାନେ ସଂପୂର୍ଣ୍ଣ ଭାବେ ସହିଦଙ୍କ ପରିବାରକୁ ଦାନ କରିଛନ୍ତି। ନାଗପୁରଠାରେ ଖେଳା ଯାଇଥିବା ଏହି ପ୍ରତିଯୋଗିତାର ଶନିବାରର ଖେଳ ଶେଷ ପରେ ବିଦର୍ଭ ଅଧିନାୟକ ଫୈଜ ଫଜଲ ଏହି ଘୋଷଣା କରିଥିଲେ। ସେ କହିଥିଲେ, ବିଜେତା ଭାବେ ଆମକୁ ମିଳିବାକୁ ଥିବା ୨୫ ଲକ୍ଷ ଟଙ୍କାକୁ ଫୁଲବାମାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମର୍ପିତ କରୁଛୁ।

Related posts

ଏସିଆ ତିରନ୍ଦାଜୀ ଜମ୍ପିଆନସିପ୍ ୨୦୧୯: ଅତନୁ ଦାସ ବ୍ୟକ୍ତିଗତ ରିକର୍ବ ବର୍ଗରେ ଜିତିଲେ ବ୍ରୋଞ୍ଜ

Odisha Sports Bureau

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau

ଆଇବିଏସଏଫ୍ ବିଶ୍ପ ଟିମ୍ ସ୍ନୁକର ଚମ୍ପିଆନସିପର ଫାଇନାଲରେ ଆଡଭାନି-ମେହରାଙ୍କ ଯୋଡି

Odisha Sports Bureau