Cricket

ରାଜସ୍ଥାନ କ୍ରିକେଟର ବିନୀତ ସାକ୍ସେନାଙ୍କ ଅବସର

(ଓଡ଼ିଶା ସ୍ପୋର୍ଟସ): ସୋମବାର ଦିନ ରାଜସ୍ଥାନ କ୍ରିକେଟର ବିନୀତ ସାକ୍ସେନା ଅବସର ଘୋଷଣା କରିଛନ୍ତି। ୩୯ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ୧୯୯୮-୯୯ରେ ଉତ୍ତରାଖଣ୍ଡ ପାଇଁ ରଣଜୀ ପଦାର୍ପଣ କରିଥିଲେ। ୨୦୧୮-୧୯ରେ ଅନ୍ତିମ ରଣଜୀ ମ୍ୟାଚ୍‌ ଖେଳିଥିଲେ ବିନୀତ। ସେ ରାଜସ୍ଥାନର ଏକମାତ୍ର କ୍ରିକେଟର ଭାବେ ୧୦୦ କିମ୍ବା ତା’ଠାରୁ ଅଧିକ ରଣଜୀ ମ୍ୟାଚ୍‌ ଖେଳିଥିଲେ। ରାଜସ୍ଥାନ ବ୍ୟତୀତ ରେଲଓ୍ବେ ଓ ଉତ୍ତରାଖଣ୍ଡ ପାଇଁ ମଧ୍ୟ ରଣଜୀ ଖେଳିଥିଲେ। ୨୦ ବର୍ଷର ଲମ୍ବା କ୍ୟାରିୟରରେ ୧୨୯ ମ୍ୟାଚ୍‌ ଖେଳି ୭୬୩୭ ରନ୍‌ କରିଥିଲେ। ଏଥିରେ ଏକ ଦ୍ୱିଶତକ, ୧୭ ଶତକ ଓ ୩୮ ଅର୍ଦ୍ଧଶତକ ସାମିଲ ଥିଲା। ୨୦୧୧-୧୨ ସିଜନ ଫାଇନାଲରେ ସେ ୨୫୭ ରନ୍‌ର ମାରାଥନ ଇନିଂସ ଖେଳିଥିଲେ, ଯାହା ଥିଲା ତାଙ୍କ କ୍ୟାରିୟରର ସବୁଠୁ ଉଲ୍ଲେଖନୀୟ ଘଟଣା। ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ଓ ରାଜସ୍ଥାନ ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ହାତେଇଥିଲା। ସେ ରଣଜୀ ଫାଇନାଲର ଅନ୍ତିମ ଦିନ ପୂରା ବ୍ୟାଟିଂ କରି ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଥିଲେ। ସେ ୯୦୪ ମିନିଟ୍‌ ଧରି ଖେଳିଥିଲେ। ଏହାବାଦ ୧୯ ବର୍ଷରୁ କମ୍‌ ବୟସ ବର୍ଗରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ଏବେ କୋଚ ଭୂମିକାରେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି। ମୁଁ ଘରୋଇ କ୍ରିକେଟରେ ସର୍ବାଧିକ ରନ୍‌ ସ୍କୋରରଙ୍କ ମଧ୍ୟରେ ଥିଲେ ମଧ୍ୟ ଅଧିକ ସୁଯୋଗ ମିଳି ନ ଥିଲା। କିନ୍ତୁ କ୍ୟାରିୟରରେ ଯାହା ହାସଲ କରିଛି, ସେଥିରେ ମୁଁ ଖୁସି ବୋଲି ସାକ୍ସେନା କହିଛନ୍ତି। ବିସିସିଆଇର ପ୍ରଥମ ସ୍ତରୀୟ କୋଚିଂ କୋର୍ସ ମୁଁ ଶେଷ କରିସାରିଛି। ମୋତେ କ୍ରିକେଟ ଯାହା ଦେଇଛି, ତାକୁ ଫେରାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

Related posts

ଆଇପିଏଲ ନିଲାମରେ ୯୭୧ଜଣ ଖେଳାଳି

Odisha Sports Bureau

ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡ ମହିଳା ଦଳକୁ ଚାରି ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

Odisha Sports Bureau

ଆଇପିଏଲ ପାଇଁ ଓସିଏ ପକ୍ଷରୁ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିଶ କଲା ଓସିଏ

Odisha Sports Bureau