Football

ଚେନ୍ନାଇନକୁ ହରାଇ ଗୋଆ ଜିତିଲା ସୁପରକପ

(ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସୁପର କପ୍ ଫୁଟବଲ୍ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଗୋଆ ଏଫ୍ସି ବିଜେତା ହୋଇଛି । ଚେନ୍ନାଇନ ଏଫ୍ସିକୁ ୨-୧ ଗୋଲ୍ରେ ହରାଇ ଗୋଆ ଏଫ୍ସି । ଅନ୍ୟ ପକ୍ଷରେ ମାଲିକ ତଥା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଉପସ୍ଥିତି ସତ୍ତ୍ବେ ଚେନ୍ନାଇ ଉପବିଜେତାରେ ସନ୍ତୁଷ୍ଟ ରହିଛି। ଫାଇନାଲର ପ୍ରଥମାର୍ଧରେ କୌଣସି ଗୋଲ୍ ଦେଖିବାକୁ ମିଳିନଥିଲା। ପ୍ରଥମ ୪୫ ମିନିଟ୍ ଖେଳରେ ସ୍କୋର କାର୍ଡ ୦-୦ ରହିଥିଲା। ତେବେ ତିନିଟି ଯାକ ଗୋଲ୍ ଦ୍ବିତୀୟାର୍ଧରେ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ଚେନ୍ନାଇନ୍ ଗୋଟିଏ ଏବଂ ଗୋଆ ଦୁଇଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ବିଜେତା ଟ୍ରଫି ସହ ଗୋଆ ୨୫ ଏବଂ ଚେନ୍ନାଇନ୍ ଉପବିଜେତା ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପାଇଥିଲା। ପ୍ରଥମାର୍ଧରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ। ହେଲେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ। ୧୯ ଓ ୨୩ ମିନିଟରେ ମିଳିଥିବା ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବା ପରେ ଚେନ୍ନାଇନ୍ ଆଉ ଗୋଆ ରକ୍ଷଣଭାଗକୁ ଭେଦ କରି ପାରି ନଥିଲା। ଗୋଆ ମଧ୍ୟ ବହୁ ଚେଷ୍ଟା ପରେ ଚେନ୍ନାଇନ୍ ଗୋଲ୍ ରକ୍ଷକଙ୍କୁ ଚକମା ଦେବାକୁ ସକ୍ଷମ ହୋଇ ନଥିଲା। ୫୦ ମିନିଟର ଗତିରୋଧ ପରେ କିନ୍ତୁ ମାତ୍ର ୧୦ ମିନିଟ୍ ଭିତରେ ଏହି ତିନିଟି ଯାକ ଗୋଲ୍ ଦେଖିବାକୁ ମିଳିଥିଲା। ୫୧ ମିନିଟରେ ଫେରାନ କରୋମିନାସ ଏକ ସୁନ୍ଦର ଫିଲ୍ଡ ଗୋଲ୍ରେ ଗୋଆକୁ ଆଗୁଆ କରି ଦେଇଥିଲେ। ୫୪ ମିନିଟରେ ରାଫେଲ ଅଗଷ୍ଟୋଙ୍କ ଗୋଲ୍ ବଳରେ ଚେନ୍ନାଇ ଏହାକୁ ଶୁଝି ଦେଇଥିଲା। ୭ ମିନିଟ୍ ପରେ ଗୋଆ ବ୍ରେଣ୍ଡନ ଫର୍ନାଣ୍ଡିସଙ୍କ ଗୋଲ୍ ବଳରେ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। ଶେଷ ୨୯ ମିନିଟରେ ଆଉ ଗୋଲ୍ ନହେବାରୁ ଗୋଆ ବିଜୟ ମୁକୁଟ ପିନ୍ଧିଥିଲା। ଗୋଆ ଗୋଲ୍ରକ୍ଷକ ମହମ୍ମଦ ନୱାଜ ମ୍ୟାଚ୍ ଏବଂ ଗୋଆର ଫେରାନ କରୋମିନାସ (୫ ଗୋଲ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ, ଏଆଇଏଫଏଫର ବରିଷ୍ଠ ଉପସଭାପତି ସୁବ୍ରତ ଦତ୍ତ ଓ କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଏଆଇଏଫଏଫର ବହୁ କର୍ମକର୍ତା ଏହି ଅବସରରେ ଉପସ୍ଥିତ ଥିଲେ।

Related posts

ଇଣ୍ଡିଆନ ସୁପର ଲିଗରେ ହାଇଦରାବାଦକୁ ୧-୦ରେ ପରାସ୍ତ କଲା ଗୋଆ

Odisha Sports Bureau

ଉଦଯାପିତ ହେଲା ବାର୍ଷିକ ଫୁଟବଲ ପ୍ରତିଯୋଗିତା ; ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

Odisha Sports Bureau

୨୧ତମ ଟାଟା ଉତ୍କଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ

Odisha Sports Bureau