ଭୁବନେଶ୍ୱର: ଓଡିଶାର ଦୌଡ ରାଣୀ ଦୂତି ଚାନ୍ଦ ତାଙ୍କ ବିଏମଡବ୍ଲୁ ବିକ୍ରି କରିବାକୁ ନେଇ ଫେସ ବୁକରେ ଏକ ପୋଷ୍ଟ କରିଥିଲେ । ଅବଶ୍ୟ କିଛି ସମୟ ପରେ ଦୂତି ଏହାକୁ ଡିଲିଟ ମଧ୍ୟ କରି ଦେଇଥିଲେ । ତେବେ ଏହି ଅଳ୍ପ ସମୟର ପୋଷ୍ଟିଂ ଭିତରେ ଏହି ଖବରକୁ ନେଇ ହୋଇଥିଲା ଚର୍ଚ୍ଚା । ବିଭିନ୍ନ ଗଣମାଧ୍ୟମ ଏହାକୁ ନେଇ ଚଳାଇଥିଲେ ତଜର୍ମା । କିନ୍ତୁ ଦୂତିଙ୍କ ଏହି ପୋଷ୍ଟ ଟିକୁ ନେଇ ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦ ପୂର୍ବପରି ଦୂତିଙ୍କ ଗଡ ଫାଦର ଅର୍ଥାତ୍ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିବାକୁ ପଛେଇ ନ ଥିଲେ ।
ବିଏମଡବ୍ଲୁ ବିକ୍ରିକୁ ନେଇ ଦୂତି ଏକ ଗଣମାଧ୍ୟମରେ କହିଥିଲେ, ତାଙ୍କ ନିକଟରେ ୩ଟି କାର ରହିଛି । ବର୍ତ୍ତମାନ କରୋନା ସ୍ଥିତିରେ ସେସବୁର ମେଣ୍ଟେନାନ୍ସ, ଇନ୍ସୁରାନ୍ସ ରିନୁଆଲ ଆଦି ତାଙ୍କ ପାଇଁ କଷ୍ଟ ହୋଇପଡିଛି । ଏହା ବ୍ୟତୀତ ଏସବୁ ବ୍ୟବହାର ନ ହୋଇ ପଡିରହିଛି । ତେଣୁ ଗୋଟିଏ ବିକ୍ରି କରିବାକୁ ଚାହୁଁଛି । ଅନ୍ୟ ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି କି, ସେ ଟୋକିଓ ଅଲମ୍ପିକ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ଅଭ୍ୟାସ ପାଇଁ ଟଙ୍କାର ଆବଶ୍ୟକତା ଥିବାରୁ ସେ ବିଏମଡବ୍ଲୁକୁ ବିକ୍ରି କରିବାକୁ ଚାହୁଁଛନ୍ତି ।
ଏହାକୁ ନେଇ ସରସ୍ୱତୀ ସର୍ବଦା ପରି ଦୂତିଙ୍କ ଗଡଫାଦର ଡ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିଛନ୍ତି । ସରସ୍ୱତୀ କହିଛନ୍ତି, ସେ ଆଶ୍ଚର୍ଯ୍ୟ ହେଉଛନ୍ତି କି, ଦୂତି ତାଙ୍କ ଅଭ୍ୟାସ ପାଇଁ ବିଏମଡବ୍ଲୁ କାର ବିକିବାକୁ ଚାହୁଚନ୍ତି । ଆହୁରି ଆଶ୍ଚର୍ଯ୍ୟ ଲାଗୁଛି କି ଓଡିଶାରେ କେହି ଏମିତି ସ୍ପୋନ୍ସର ନାହାନ୍ତି ଯିଏ ତାଙ୍କ ଅଭ୍ୟାସ ପାଇଁ ଦେଇପାରିବେ ୪୦-୫୦ ଲକ୍ଷ ଟଙ୍କା? କୁଆଡେ ଗଲେ ଦୂତିଙ୍କ ଗଡଫାଦର, ଯାହାଙ୍କ ସଂସ୍ଥା ପାଇଁ ସେ ଅନେକ ବିଜ୍ଞାପନ କରିଛନ୍ତି । ଏହି ବିଜ୍ଞାପନ ପାଇଁ ଅନ୍ୟ କେହି ୪-୫ କୋଟି ଦାବି କରିଥାନ୍ତେ । ଏବେ ଦୂତିଙ୍କ ଗଡ ଫାଦର କୁଆଡେ ଗଲେ ବୋଲି ସରସ୍ୱତୀ ଅଚ୍ୟୁତ ସାମନ୍ତଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ।
ତେବେ ଏହା ଦୂତିଙ୍କ ପାଇଁ ସରସ୍ୱତୀଙ୍କ ଭଲପାଇବା ନା ରାଗ ତାହା ଜାଣି ହେଉନାହିଁ । ହେଲେ ଗୋଟିଏ କଥା ସ୍ପଷ୍ଟ ଦୂତି ସର୍ବଦା ସରସ୍ୱତୀଙ୍କ ସ୍କାନରରେ ରହିଛନ୍ତି । ମାତ୍ର ଅଳ୍ପ ସମୟ ପାଇଁ ଥିବା ପୋଷ୍ଟ ମଧ୍ୟ ସରସ୍ୱତୀଙ୍କ ନଜରରୁ ବାଦ ପାଡିନାହିଁ ।