Uncategorized

ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

ଜଗତସିଂହପୁର : ଏରସମା ବ୍ଲକର ସମସ୍ତ ୨୫ଟି ପଞ୍ଚାୟତରେ ଥିବା ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭଲିବଲ,ଖୋଖୋ ଓ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରଥମ ପର୍ୟ୍ୟାୟରେ ଦୁଇଟି ଗୃପରେ ବିଭକ୍ତ ପ୍ରତି ପଞ୍ଚାୟତକୁ ନେଇ ଗୋଟିଏ ଗୋଟିଏ ଟିମ ଗଠନ କରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏରସମା ବ୍ଲକର ଏରସମା ଠାରୁ ଢ଼ିଙ୍କିଆ ପର୍ୟ୍ୟନ୍ତ ଉତ୍ତର ଏରସମାର ୧୩ଟି ପଞ୍ଚାୟତର ହାଇସ୍କୁଲ ଗୁଡିକୁ ନେଇ କୁଞ୍ଜକୋଠୀ ପଞ୍ଚାୟତ ନିଳକଣ୍ଠେଶ୍ୱର ହାଇସ୍କୁଲ ପଡିଆ କନାଗୁଳି ଠାରେ ଆୟୋଜିତ ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତାରେ ଭଲିବଲରେ ଢ଼ିଙ୍କିଆ ପଞ୍ଚାୟତ,ଖୋଖୋ ରେ ଉଭୟ ବାଳକ ବାଳିକା ବିଭାଗରେ ନୂଆଡିହି ପଞ୍ଚାୟତ ଓ କବାଡିରେ ଉଭୟ ବାଳକ ବାଳିକା ବିଭାଗରେ ବଳେଇପୁର ପଞ୍ଚାୟତ ଟିମ ବିଜୟ ଲାଭ କରି ଫାଇନାଲ ପର୍ୟ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏଠାରେ ଆୟୋଜିତ ଉଦଯାପନୀ ସମାରୋହରେ କୁଞ୍ଜକୋଠୀ ପଞ୍ଚାୟତ ସରପଞ୍ଚ ସପନ କୁମାର ପାତ୍ର, ନିଳକଣ୍ଠେଶ୍ୱର ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସ, ଜିଲ୍ଲାପରିଷଦ ସଭ୍ୟ ପୀତବାସ ଗଛାୟତ ଓ ଏବିଓ ଗୋପବନ୍ଧୁ ନାୟକଙ୍କ ସମେତ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଦକ୍ଷିଣ ଏରସମାର ୧୨ଟି ପଞ୍ଚାୟତର ହାଇସ୍କୁଲ ମାନଙ୍କୁ ନେଇ ଗଡହରିଶପୁର ମା’ମନସା ଖେଳପଡିଆ ଠାରେ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭଲିବଲରେ ପଦ୍ମପୁର ପଞ୍ଚାୟତ କବାଡି ଓ ଖୋଖୋ ପ୍ରତିଯୋଗିତାରେ ଉଭୟ ବାଳକ ବାଳିକା ବିଭାଗରେ ଗଡହରିଶପୁର ପଞ୍ଚାୟତ ଟିମ ବିଜୟ ଲାଭ କରି ଫାଇନାଲ ପର୍ୟ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏହି ପ୍ରତିଯୋଗିତାରେ ସ୍ଥାନୀୟ ସରପଞ୍ଚ ପାର୍ବତୀ ଗୁଡିଆ,ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର ଓ ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ସମେତ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ଗୃପର କ୍ରିଡା ପ୍ରତିଯୋଗିତାକୁ ବ୍ଲକର ସମସ୍ତ ବିଦ୍ୟାଳୟର କ୍ରିଡା ଶିକ୍ଷକ ଶିକ୍ଷୟିତ୍ରୀ ସିଆରସିସିଙ୍କ ସମେତ ବରିଷ୍ଠ ଶିକ୍ଷକ ଓ ପ୍ରଶାସକ ଓ ସ୍ଥାନୀୟ ଅଞ୍ଚଳବାସୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ । ଆସନ୍ତା୨୨ତାରିଖରେ ଫାଇନାଲ ପର୍ୟ୍ୟାୟ ପ୍ରତିଯୋଗିତା ଏରସମାରେ ଆୟୋଜିତ ହେବାକୁ ଥିବା ବେଳେ ଏଠାରେ ଉତ୍ତୀର୍ଣ୍ଣ ଖେଳାଳି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା କ୍ରିଡା ପ୍ରତିଭାର ବିକାଶରେ ଏହା ସହାୟକ ହେବା ସହ ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିବେ।ସରକାରଙ୍କ ଏହି ଆୟୋଜନକୁ ପ୍ରଶଂସା କରାଯାଇଛି ।

Related posts

ଏସୀୟ କ୍ରୀଡ଼ା ୨୦୨୩: ଭାରତକୁ ପିସ୍ତଲ୍‌ ଚାଳନାରେ ସ୍ବର୍ଣ୍ଣ ଓ ରାଇଫଲ୍‌ରେ ରୌପ୍ୟ ପଦକ

Odisha Sports Bureau

ସୋହିନି ଓ ଆରାଧ୍ୟାଙ୍କୁ ସମ୍ବର୍ଦ୍ଧନା କଲା ଓଟିଏ

Odisha Sports Bureau

ଆଜି ଯୁଗଳ ମ୍ୟାଚ ଦେଖିବ ବିଶ୍ୱ

Odisha Sports Bureau