Cricket

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ଆଜି: ରିଙ୍କୁ ଓ ରଜତଙ୍କୁ ନେଇ ଦ୍ୱନ୍ଦ୍ୱ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଭାରତ | ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ସେଣ୍ଟ ଜର୍ଜସ ପାର୍କରେ ଆଜି ସାମ୍ନା ସମଣୀ ହେବେ ଏହି ଦୁଇ ଦଳ | ଜୋହାନ୍ସବର୍ଗରେ ଗୋଲାପି ଜର୍ସି ପିନ୍ଧି ଖେଳିଥିବା ଦକ୍ଷିଣ ଆଫ୍ରିକାର ଦଳର ଶୋଚନୀୟ ପରାଜୟ ପରେ ନୂଆ ପିଢ଼ିର ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ ଉତ୍ସାହିତ। ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ପଡ଼ିଆରେ ଭାରତ ଏପରି ଭାବେ ହରାଇବ ବୋଲି କେହି ଆଶା କରି ନଥିଲେ। ଏବେ ଦ୍ୱିତୀୟ ମ୍ୟାଚ୍‌ ଜିତି ଭାରତ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ରହିଛି। ଶ୍ରେୟସ ଆୟର ଟେଷ୍ଟ୍‌ ଦଳରେ ଯୋଗ ଦେବାରୁ ଗୋଟିଏ ବ୍ୟାଟିଂ ସ୍ଲଟ୍‌ ରହିଛି। ଏହି ସ୍ଥାନରେ ପ୍ରତିଭାଶାଳୀ ରଜତ ପଟିଦାର କିମ୍ବା ଚମତ୍କାରୀ ରିଙ୍କୁ ସିଂହ ମଧ୍ୟରୁ କାହାକୁ ଖେଳାଇବ ଦ୍ବନ୍ଦ୍ବରେ ରହିଛି ଦଳ। ଏଥିପାଇଁ ଦିନିକିଆ ପଦାର୍ପଣ ଲାଗି ବାମହାତୀ ରିଙ୍କୁ ଓ ଡାହାଣହାତୀ ରଜତଙ୍କ ମଧ୍ୟରେ ଲଢ଼େଇ ତୀବ୍ର ହୋଇଛି। ରିଙ୍କୁ ପ୍ରତିଭାବାନ ଫିନିସର୍‌ ହୋଇଥିଲା ବେଳେ ରଜତ ୪ ନମ୍ବରରେ ଖେଳିବାକୁ ମାହିର ଅଛନ୍ତି। ତେବେ ଦଳୀୟ ମ୍ୟାନେଜ୍‌ମେଣ୍ଟ ସଂଜୁ ସାମସନଙ୍କୁ ନମ୍ବର ୬ରେ ଖେଳାଇବାକୁ ଚିନ୍ତା କରୁଥିଲା ବେଳେ ଲିଷ୍ଟ୍‌‌-ଏରେ ଭଲ ଖେଳିଥିବା ରିଙ୍କୁଙ୍କୁ ସୁଯୋଗ ଦେବାର ସମ୍ଭାବନା ମଧ୍ୟ ରଖିଛି।

ସେହି ପରି ଜୋହାନ୍ସବର୍ଗରେ ଭାରତର ଦୁଇ ଯୁବ ଫାଷ୍ଟ ବୋଲର ଅର୍ଶଦୀପ ସିଂ ଓ ଆଭେଷ ଖାନ୍‌ଙ୍କ ବୋଲିଂରେ ଦକ୍ଷିଣ ଆଫ୍ରିକା ହାରିଯାଇଥିଲା। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତ ୩ଟି ଯାକ ଫର୍ମାଟରେ ଖେଳିଥିବା ବେଙ୍ଗଲର ଫାଷ୍ଟ ବୋଲର ମୁକେଶ କୁମାର ଏହି ମ୍ୟାଚ୍‌ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଏହି କାରଣରୁ ତାଙ୍କୁ ଯଦି ଦ୍ୱିତୀୟ ଦିନିକିଆରୁ ବାଦ୍‌ ଦିଆଯାଏ, ତେବେ ତାଙ୍କ ସ୍ଥାନରେ ଆକାଶଦୀପଙ୍କ ନାମ ବିଚାରକୁ ନିଆଯିବ। ସ୍ପିନ୍‌ ବିଭାଗରେ କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଆହତ ନହେଲେ ବାଦ୍‌ ଦେବାର ଆଦୌ ସମ୍ଭାବନା ନାହିଁ। ସ୍ଥିତିକୁ ଦେଖିଲେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଭାରତୀୟ ବୋଲିଂ ବାହିନୀରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌।

ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିବା ପରେ ଘରୋଇ ଦଳରେ ପରିବର୍ତ୍ତନ ହେବା ସ୍ୱାଭାବିକ୍‌। କିନ୍ତୁ ଦଳରେ କିଛି ପରିବର୍ତ୍ତନ ହେବାର ଆଶା ନାହିଁ।

ସପ୍ତାହକ ତଳେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ପ୍ରଥମ ଦିନିକିଆରେ ଶୋଚନୀୟ ପରାଜୟ ପରେ ଦକ୍ଷିଣ ଆଫ୍ରିକା ନିଶ୍ଚିତଭାବେ ଏହି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ। ଏହା ଫଳରେ ମ୍ୟାଚ୍‌ଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଇପାରେ।

Related posts

ଆଉ କିଛି କ୍ଷଣ ପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

୧୫ ମହଲା ବାଲକୋନୀରୁ ଚହଲଙ୍କୁ ଝୁଲାଇଥିବା କ୍ରିକେଟରଙ୍କ ପାଇଁ ‘ଲାଇଫ ଟାଇମ ବ୍ୟାନ’ ଦାବି କଲେ ରବି ଶାସ୍ତ୍ରୀ

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau