ଅଷ୍ଟ୍ରେଲିଆ ମାଟିରେ ଇଂଲଣ୍ଡର ଐତିହାସିକ ବିଜୟ। ପ୍ରଥମ ମ୍ୟାଚ୍ରେ ପରାଜୟ ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଦିନିକିଆ ସିରିଜ୍ ଜିତିନେଇଛି ଇଂଲଣ୍ଡ। ନିର୍ଣ୍ଣାୟକ ମୁକାବିଲାରେ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୯୭ ରନ୍ରେ ହରାଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୧ରେ ଜିତିଛି ହ୍ୟାରି ବ୍ରୁକ୍ଙ୍କ ଦଳ।
ବୁଧବାର ହୋବାର୍ଟରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟସ୍ ଜିତି ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ ପ୍ରଥମେ ବ୍ୟାଟିଂ କରିଥିଲେ। ବେନ୍ ଡକେଟ୍ଙ୍କ ଦମ୍ଦାର ଶତକ ଏବଂ ୱିଲ୍ ଜ୍ୟାକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ୪୮.୩ ଓଭରରେ ୩୨୮ ରନ୍ କରିଥିଲା। ଡକେଟ୍ ୧୩୩ ଏବଂ ଜ୍ୟାକ୍ସ ୫୯ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ।
ଜବାବରେ ୩୨୯ ରନ୍ର ବିଜୟଲକ୍ଷ୍ୟ ପିଛା କରି ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା। ମ୍ୟାଟ୍ ରେନ୍ସ’ଙ୍କ ୫୫ ରନ୍ ଏବଂ ଆଲେକ୍ସ କ୍ୟାରିଙ୍କ ୩୭ ରନ୍ ସତ୍ତ୍ୱେ ଦଳ ବିଜୟଠାରୁ ଦୂରରେ ରହିଥିଲା। ସନି ବେକରଙ୍କ ଘାତକ ବୋଲିଂରେ ୪ଟି ୱିକେଟ୍ ଏବଂ ଲିଆମ୍ ଡସନ୍ଙ୍କ ୩ଟି ୱିକେଟ୍ ଅଷ୍ଟ୍ରେଲିଆକୁ ଅଡ଼ୁଆରେ ପକାଇଥିଲା। ଶେଷରେ ୪୬.୫ ଓଭରରେ ୨୩୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା ଘରୋଇ ଦଳ। ଏହି ବିଜୟ ସହ ଅଷ୍ଟ୍ରେଲିଆ ମାଟିରେ ସିରିଜ୍ କବ୍ଜା କରି ନିଜ ଦମ୍ ଦେଖାଇଛି ଇଂଲଣ୍ଡ।
