ଟେଷ୍ଟ କ୍ରିକେଟକୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତୀୟ ଷ୍ଟାର୍ ପେସର୍ ଜସପ୍ରୀତ ବୁମ୍ରା। ମଇଦାନକୁ ଓହ୍ଲାଉ ଓହ୍ଲାଉ ନିଜର ଘାତକ ବୋଲିଂର ଝଲକ ଦେଖାଇଛନ୍ତି ବୁମ୍ରା। ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ପ୍ରଥମ ଓଭରରେ ହିଁ ୱିକେଟ୍ ନେଇ ପ୍ରତିପକ୍ଷ ଶିବିରରେ ଆତଙ୍କ ଖେଳାଇ ଦେଇଛନ୍ତି। ଏହି ୱିକେଟ୍ ସହ ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହାସରେ ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛନ୍ତି ସେ।

ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍। ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ଶୁବମନ ଗିଲ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆଉ ନିଜର ପ୍ରଥମ ଓଭରର ତୃତୀୟ ବଲରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥାମଙ୍କୁ ଶୂନ ରନରେ ଆଉଟ୍ କରି ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ ବୁମ୍ରା। ଏହାପରେ ମଧ୍ୟ ଭାରତୀୟ ବୋଲରଙ୍କ ଦବଦବା ଜାରି ରହିଥିଲା। ଟି-ବ୍ରେକ୍ ସୁଦ୍ଧା ନ୍ୟୁଜିଲାଣ୍ଡ ୧୪୦ ରନରେ ୫ଟି ୱିକେଟ୍ ହରାଇଥିଲା। ଏହି ମ୍ୟାଚରେ ଏକ ୱିକେଟ୍ ନେବା ସହ ବୁମ୍ରା ଭାରତର ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥଙ୍କୁ ପଛରେ ପକାଇ ଦେଇଛନ୍ତି। ଶ୍ରୀନାଥ ୬୭ଟି ଟେଷ୍ଟ ମ୍ୟାଚ୍ ଖେଳି ୨୩୬ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା ମାତ୍ର ୫୩ଟି ଟେଷ୍ଟରେ ୨୩୭ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଏହା ସହିତ ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ଦଶମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ବୁମ୍ରା।

ଭାରତ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ହାସଲ କରିବାର ରେକର୍ଡ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେଙ୍କ ନାମରେ ରହିଛି। ସେ ୬୧୯ଟି ୱିକେଟ୍ ନେଇ ଏହି ତାଲିକାର ଶୀର୍ଷରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ ୫୩୭ଟି ୱିକେଟ୍ ସହ ରହିଥିବା ବେଳେ କପିଳ ଦେବ ୪୩୪, ହରଭଜନ ସିଂହ ୪୧୭ ଏବଂ ରବୀନ୍ଦ୍ର ଜାଡେଜା ୩୫୬ଟି ୱିକେଟ୍ ସହ ପରବର୍ତ୍ତୀ ସ୍ଥାନରେ ଅଛନ୍ତି। ତେବେ ବୁମ୍ରାଙ୍କ ପାଖରେ ଏହି ଟେଷ୍ଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିବାର ସୁଯୋଗ ରହିଛି। ଯଦି ସେ ଉଭୟ ଇନିଂସକୁ ମିଶାଇ ଆଉ ୯ଟି ୱିକେଟ୍ ନେବାରେ ସଫଳ ହୁଅନ୍ତି, ତେବେ ଭାଗବତ ଚନ୍ଦ୍ରଶେଖରଙ୍କ ୨୪୨ଟି ୱିକେଟ୍ ରେକର୍ଡକୁ ଅତିକ୍ରମ କରି ନବମ ସ୍ଥାନକୁ ଉଠିବେ।
