ନୂଆଦିଲ୍ଲୀ: BCCI ୨୦୨୬-୨୭ ମସିହା ପାଇଁ ଭାରତୀୟ କ୍ରିକେଟ ଦଳର ଘରୋଇ ସିଜିନ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ରେ ଟିମ୍ ଇଣ୍ଡିଆ ମୋଟ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛି ଏବଂ ସେଗୁଡିକ ଦେଶର ୧୭ଟି ସହରରେ ଆୟୋଜିତ ହେବ। ଏହି ସମୟରେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଓ ଅଷ୍ଟ୍ରେଲିଆ ଭଳି ଚାରିଟି ଦଳ ଭାରତ ଗସ୍ତ କରିବେ।
ଏହି ଘରୋଇ ସିଜିନ୍ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବ, ଯେଉଁଠାରେ ପ୍ରଥମେ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ବିରୋଧରେ ତିନିଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜ୍ର ଦିନିକିଆ ମ୍ୟାଚ୍ଗୁଡିକ ତିରୁବନନ୍ତପୁରମ୍, ଗୌହାଟି ଏବଂ ନ୍ୟୁ ଚଣ୍ଡିଗଡ଼ରେ ହେବାକୁ ଥିବାବେଳେ, ଟି-୨୦ ମ୍ୟାଚ୍ଗୁଡିକ ଲକ୍ଷ୍ନୌ, ରାଞ୍ଚି, ଇନ୍ଦୋର, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଆୟୋଜିତ ହେବ।
ଏହା ପରେ ଡିସେମ୍ବର ୨୦୨୬ରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସିବ ଏବଂ ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ। ଏହି ସିରିଜ୍ର ଟି-୨୦ ମ୍ୟାଚ୍ମଧ୍ୟରୁ ଦ୍ୱିତୀୟ ମ୍ୟାଚ୍ କଟକର ଐତିହାସିକ Barabati Stadium ରେ ଡିସେମ୍ବର ୨୪ ତାରିଖରେ ଖେଳାଯିବ। ଏହା ସହ ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ମ୍ୟାଚ୍ ଆୟୋଜିତ ହେବ। ଦିନିକିଆ ସିରିଜ୍ର ମ୍ୟାଚ୍ଗୁଡିକ ଦିଲ୍ଲୀ, ବେଙ୍ଗାଲୁରୁ ଓ ଅହମ୍ମଦାବାଦରେ ଖେଳାଯିବ।
ଏହି ଘରୋଇ ସିଜିନ୍ର ସବୁଠାରୁ ବଡ଼ ଆକର୍ଷଣ ରହିବ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍। ଅଷ୍ଟ୍ରେଲିଆ ଦଳ ଆସନ୍ତା ଜାନୁଆରୀରେ ଭାରତ ଗସ୍ତରେ ଆସି ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି, ଯାହାକୁ ନେଇ କ୍ରିକେଟ ମହଳରେ ବେଶ ଉତ୍ସାହ ଦେଖାଯାଉଛି।
ଦୀର୍ଘ ସମୟ ପରେ କଟକର ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହେବାକୁ ଯାଉଥିବାରୁ ଓଡ଼ିଶାର କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖାଯାଉଛି। ଡିସେମ୍ବର ୨୪ରେ ହେବାକୁ ଥିବା ଏହି ଟି-୨୦ ମ୍ୟାଚ୍ ସମୟରେ ବାରବାଟୀ ଷ୍ଟାଡିୟମରେ ଦର୍ଶକମାନଙ୍କ ଭିଡ଼ ଓ “ଇଣ୍ଡିଆ-ଇଣ୍ଡିଆ” ନାରାରେ ପୁଣିଥରେ କଟକ ସହର ମୁଗ୍ଧ ହେବ ବୋଲି ଆଶା କରାଯାଉଛି।
