Cricket

ସାଣ୍ଟନରଙ୍କ ସ୍ଥାନରେ ଯୁବ ଖେଳାଳି ଡିନ୍ ଫକ୍ସକ୍ରଫ୍ଟଙ୍କୁ ଟେଷ୍ଟ ଦଳରେ ସୁଯୋଗ

ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଶିବିରରେ ବଢ଼ିଲା ଚିନ୍ତା। ଦଳର ଅଭିଜ୍ଞ ଅଲ୍‌ରାଉଣ୍ଡର ମିଚେଲ୍ ସାଣ୍ଟନର ଆହତ ହୋଇ ପୂରା ଟେଷ୍ଟ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତି ଘରୋଇ ଦଳ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ସାଣ୍ଟନରଙ୍କ ସ୍ଥାନରେ ଯୁବ ଖେଳାଳି ଡିନ୍ ଫକ୍ସକ୍ରଫ୍ଟଙ୍କୁ ଟେଷ୍ଟ ଦଳରେ ସୁଯୋଗ ମିଳିଛି।

ସୂଚନା ଅନୁସାରେ, ଗତ ରବିବାର ମାଉଣ୍ଟ ମାଉଙ୍ଗାନୁଇରେ ଭାରତ ବିପକ୍ଷ ପଞ୍ଚମ ଦିନିକିଆ ଖେଳୁଥିବା ସମୟରେ ସାଣ୍ଟନର ଆହତ ହୋଇଥିଲେ। ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ଏକ ବଲ୍ ତାଙ୍କ ଡାହାଣ ହାତର ପଛପଟେ ବାଜିଥିଲା। ତେବେ ଆଘାତ ସତ୍ତ୍ୱେ ସେ ବ୍ୟାଟିଂ ଜାରି ରଖି ୨୪ ରନ୍ କରିଥିଲେ। ମ୍ୟାଚ୍ ପରେ ତାଙ୍କର ସ୍କାନ୍ କରାଯିବାରୁ ଡାହାଣ ହାତର ହାଡ଼ରେ ଫାଟ ଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ସାଣ୍ଟନରଙ୍କ ସ୍ଥାନ ନେଇଥିବା ଡିନ୍ ଫକ୍ସକ୍ରଫ୍ଟଙ୍କ ପାଇଁ ଏହା ନିଜକୁ ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ। ଚଳିତ ବର୍ଷ ମେ’ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ସେ ନିଜର ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳି ୯୮ ରନ୍‌ର ଚମତ୍କାର ପାଳି ଖେଳିଥିଲେ। ଏହାସହ ଭାରତ ‘ଏ’ ବିପକ୍ଷ ଅନୌପଚାରିକ ଟେଷ୍ଟରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିଥିଲା।

ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗୁରୁବାରଠାରୁ ୱେଲିଂଟନ୍‌ରେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ତଥା ଶେଷ ଟେଷ୍ଟ ନଭେମ୍ବର ୨୭ ତାରିଖରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ।

Related posts

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଶଦାବ ଖାନଙ୍କ ବଡ଼ ବୟାନ

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

Odisha Sports Bureau

ମୋବାଇଲ ଆପ୍ଲିକେସନ୍ ଡିଜ୍ନୀ ହଟଷ୍ଟାରରେ ମାଗଣାରେ ଦେଖିପାରିବେ ଟି-୨୦ ବିଶ୍ୱକପ୍ର ସମସ୍ତ ମ୍ୟାଚ୍