ନୂଆଦିଲ୍ଲୀ: ଆଜି ଆଇପିଏଲ ର ଶେଷ ଲିଗ ମ୍ୟାଚ୍ରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ । ସନ୍ଧ୍ୟା ୭:୩୦ରେ ଏକାନ୍ନା ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ରୟାଲ ଚ୍ୟାଲେଞ୍ଜର୍ସ ଗତ ୨୩ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ପରାଜିତ ହୋଇଥିଲା । ତେଣୁ ରୟାଲ୍ ଚ୍ୟାଲେଞ୍ଜର୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ଏଥର ସମସ୍ତ ତ୍ରୁଟି ସୁଧାରି ରୟାଲ ଚ୍ୟାଲେଞ୍ଜର୍ସ ଗ୍ରାଉଣ୍ଡକୁ ଓହ୍ଳାଇବ ।
ସୁପରଜାଏଣ୍ଟ୍ସ ପୂର୍ବ ଲିଗ୍ ମ୍ୟାଚ୍ରେ ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସକୁ ହରାଇଥିଲା । ମିଚେଲ ମାର୍ଶ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପରେ ବୋଲରମାନେ ଟାଇଟନ୍ସ ବ୍ୟାଟରଙ୍କୁ କ୍ରିଜରେ ଜମିବାକୁ ସୁଯୋଗ ଦେଇ ନଥିଲେ । କ୍ରମାନ୍ୱୟରେ ୪ଟି ମ୍ୟାଚ୍ ପରାଜିତ ହୋଇ ପ୍ଲେ-ଅଫ୍ରୁ ବାଦ ପଡ଼ିବା ପରେ ସୁପରଜାଏଣ୍ଟସ ଉକ୍ତ ମ୍ୟାଚ୍ ଜିତିଥିଲା । ସବୁ ଖେଳାଳି ଫର୍ମକୁ ଫେରିବା ବେଳକୁ ବିଳମ୍ବ ହୋଇ ସାରିଥିଲା । ଟାଇଟନ୍ସ ବିପକ୍ଷ ମ୍ୟାଚ୍ର ପ୍ରଦର୍ଶନକୁ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦୋହରାଇବା ପାଇଁ ଦଳ ପ୍ରସ୍ତୁତ ରହିଛି । ଆଜି ରୟାଲ ଚ୍ୟାଲେଞ୍ଜର୍ସ ଏକାଦଶରେ ପରିବର୍ତ୍ତନ କରିବ । ଦଳକୁ ଫେରିଥିବା ଜୋସ ହାଜେଲଉଡ୍ ଆସନ୍ତା କାଲି ଲୁଙ୍ଗି ଏନଗିଡ଼ିଙ୍କ ସ୍ଥାନରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଠିକ୍ ସେହିପରି ଆହତ ଟିମ ଡେଭିଡଙ୍କ ସ୍ଥାନରେ ଲାଏମ ଲିଭିଙ୍ଗଷ୍ଟୋନ କିମ୍ବା ଟିମ ସାଇଫର୍ଟଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।
ସୁପରଜାଏଣ୍ଟ୍ସ ଦଳରେ ଏକାଧିକ ପରିବର୍ତ୍ତନ ହେବା ଆଶା କରାଯାଉଛି । ଗୋଟିଏ ମ୍ୟାଚ୍ରୁ ନିଲମ୍ବିତ ହୋଇଥିବା ଦିଗବେଶ ରାଠି ଆଜି ଖେଳିବା ନିଶ୍ଚିତ । ଏହା ବ୍ୟତୀତ ୩ ଯୁବ ଅଲରାଉଣ୍ଡର ଆର୍ସିନ କୁଲକର୍ଣ୍ଣୀ, ରାଜବର୍ଦ୍ଧନ ହଙ୍ଗରଗେକର ଓ ଯୁବରାଜ ଚୌଧୁରୀଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ମିଳିପାରେ ।
ଆଜି କୋହଲିଙ୍କ ଉପରେ ନଜର ରହିବ । ସେ ଆଉ ୨୪ ରନ୍ କଲେ ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ୯୦୦୦ ରନ ପୂରଣ କରିବେ । ଆଉ ଏକ ବିଜୟ ସହ ରୟାଲ୍ ଚ୍ୟାଲେଞ୍ଜର୍ସ ରେକର୍ଡ କରିବା ସମ୍ଭାବନା ରହିଛି । ଆଇପିଏଲ୍ ଇତିହାସରେ ପ୍ରଥମ ଦଳ ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାହାର ଗ୍ରାଉଣ୍ଡ୍ରେ ସମସ୍ତ ମ୍ୟାଚ୍ ଜିତିବାରେ ସଫଳ ହେବ ।