ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ ସିଏସକେରେ ସାମିଲ ହୋଇ ପାରନ୍ତି ଶୁଭ୍ରାଂଶୁ ସେନାପତି ।
ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା ଓଡିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ଟାର୍ଗେଟ କରିଛି ଚେନ୍ନାଇ । ଶୁଭ୍ରାଂଶୁଙ୍କ ବ୍ୟାଟିଂ ସିଏସକେ ଦଳକୁ ଖୁବ ପସନ୍ଦ ଆସିଛି । ତେଣୁ ଟ୍ରାଏଲ ପାଇଁ ସିଏସକେ ତରଫରୁ ଶୁଭ୍ରାଂଶୁଙ୍କ ପାଖକୁ ଆସିଛି ବୁଲାୱା । ଏନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
Subhranshu Senapati Called for Selection Trials by the champions CSK in the IPL. Bringing you his batting highlights from the recently concluded Vijay Hazare Trophy & Syed Mushtaq Ali Trophy. @BCCI @ChennaiIPL @cricket_odisha @WasimJaffer14 pic.twitter.com/gBKlFDaDX4
— Odisha Cricket Association (@cricket_odisha) December 18, 2021
ଚଳିତ ବିଜୟ ହଜାରେ ଟ୍ରଫିରେ ଶୁଭ୍ରାଂଶୁ ଓଡିଶାର ନେତୃତ୍ୱ ନେଉଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ସେ ୭ଟି ମ୍ୟାଚରୁ୨୭୫ ରନ ସଂଗ୍ରହ କରିଛନ୍ତି । ଆନ୍ଧ୍ରପ୍ରଦେଶ ବିପକ୍ଷରେ ଶୁଭ୍ରାଂଶୁ ହାସଲ କରିଥିଲେ ଦମଦାର ଶତକ । ଏଥି ସହିତ ବିଦର୍ଭ ଏବଂ ହିମାଚଳ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଚୟନକର୍ତ୍ତାଙ୍କ ଆଖି ଆଗକୁ ଆସିଥିଲେ ଶୁଭ୍ରାଂଶୁ । ବିଜୟ ହଜାରେ ଟ୍ରଫି ବ୍ୟତୀତ ସୟଦ ମୁସ୍ତାକ ଅଲୀ ଟ-୨୦ରେ ମଧ୍ୟ ପାଞ୍ଚ ମ୍ୟାଚରୁ ୧୧୬.୯୪ ଷ୍ଟ୍ରାଇକ ରେଟରେ ୧୩୮ ରନ ସଂଗ୍ରହ କରିଥିଲେ । ଏପର୍ୟ୍ୟନ୍ତ ଶୁଭ୍ରାଂଶୁ ସେନାପତି ୨୬ଟି ଟି-୨୦ ମ୍ୟାଚ ଖେଳି ୬୩୭ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ତିନୋଟି ଅର୍ଦ୍ଧଶତକ ସାମିଲ ଅଛି ।
ତେବେ ଚେନ୍ନାଇ ତରଫରୁ ଖେଳିବାର ସୁଯୋଗ ପାଇଲେ ତାଙ୍କ ଖେଳରେ ଆହୁରି ସୁଧାର ଆସିବ । ଏଥିସହ ଆଇପିଏଲର ବିଶ୍ୱର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଖେଳି ସେ ଆହୁରି ମାର୍ଜିତ ହେବା ସହିତ ଓଡିଶା ପାଇଁ ଗର୍ବ ଆଣିବେ ବୋଲି ଓଡିଆମାନେ ଆଶା ରଖିଛନ୍ତି ।