ନୂଆଦିଲ୍ଲୀ: ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ୨୦୨୬ ଜିତି କୋଟି କୋଟି ଭାରତୀୟଙ୍କୁ ଗର୍ବିତ କରିଥିବାବେଳେ, ଦଳର ମୁଖ୍ୟ କୋଚ୍ ଗୌତମ୍ ଗମ୍ଭୀର ଏବେଠାରୁ ପରବର୍ତ୍ତୀ ବଡ଼ ଲକ୍ଷ୍ୟ ଧରିଛନ୍ତି। ସେହି ଲକ୍ଷ୍ୟ ହେଉଛି ଦିନିକିଆ ବିଶ୍ଵକପ୍ ୨୦୨୭ । ଯାହା ସାଉଥ୍ ଆଫ୍ରିକା, ଜିମ୍ବାୱେ, ବାମିବିଆର ସଂଯୁକ୍ତ ଆୟୋଜନରେ ହେବ। ଟି-୨୦ ବିଶ୍ୱକପ୍ ଜିତିବା ପରେ ମଧ୍ୟ ଗମ୍ଭୀର ଆରାମରେ ବିଶ୍ୱାସ କରୁନାହାନ୍ତି। ସେ କହିଛନ୍ତି ଯେ ଆଗାମୀ କିଛି ମାସ ଭାରତୀୟ କ୍ରିକେଟ ପାଇଁ ନୂଆ ପରିବର୍ତ୍ତନ, ନୂଆ ଅବସର ଓ ନୂଆ ରଣନୀତି ନେଇ ଆସିପାରେ। ଏହା ସବୁ ୨୦୨୭ ଓଡିଆଇ ବିଶ୍ୱକପ୍କୁ ଧ୍ୟାନରେ ରଖି କରାଯିବ।
ଗମ୍ଭୀର କହିଛନ୍ତି ଯେ ଏବେ ଦଳ ପାଖରେ ସମୟ ଅଛି। ପରବର୍ତ୍ତୀ ଦୁଇ ମାସ ଧରି IPL ଚାଲିବ। ଏହି ସମୟରେ ଖେଳାଳିଙ୍କ ପରଫର୍ମାନ୍ସ, ଟିମ୍ କମ୍ବିନେସନ୍ ଓ ଭବିଷ୍ୟତ ଦଳର ଗଠନକୁ ନଜରରେ ରଖାଯିବ। ତାଙ୍କ କହିବା ଅନୁସାରେ ଆଇପିଏଲ୍ ଶେଷ ହେବା ପରେ ୨୦୨୭ ଓଡିଆଇ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଏକ ସ୍ପଷ୍ଟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। କୋଚ୍ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ ୨୦୨୭ ବିଶ୍ୱକପ୍ ପାଇଁ ଟିମ୍ ଚୟନରେ କୌଣସି ଢିଲାଇ ହେବ ନାହିଁ। ସେ କହିଛନ୍ତି ଯେ କେଉଁ ଖେଳାଳି ସାଉଥ୍ ଆଫ୍ରିକାର ପିଚ୍ରେ ଭଲ ପରିଣାମ ଦେଇପାରିବେ, ସେଥିପାଇଁ କୋଚ୍ ଓ ସିଲେକ୍ସନ୍ କମିଟି ଗୁରୁତ୍ୱ ସହ କାମ କରିବେ।
ଗମ୍ଭୀର କହିଛନ୍ତି ଯେ ଭାରତୀୟ ଦଳ ବର୍ତ୍ତମାନ ଅତ୍ୟଧିକ ଓଡିଆଇ ମ୍ୟାଚ୍ ଖେଳୁନାହିଁ। ସେହିପରିସ୍ଥିତିରେ ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ଆବଶ୍ୟକ। ଆଇପିଏଲ୍ ଶେଷ ପରେ ଟିମ୍ ଇଣ୍ଡିଆ ପୁଣିଥରେ ୫୦ ଓଭର ଫର୍ମାଟ୍ ଉପରେ ଧ୍ୟାନ ଦେବ। ଗୌତମ ଗମ୍ଭୀରଙ୍କ ଲକ୍ଷ୍ୟ ସ୍ପଷ୍ଟ—ଟିମ୍ ଇଣ୍ଡିଆକୁ କେବଳ ଗୋଟିଏ ଫର୍ମାଟ୍ର ଚ୍ୟାମ୍ପିୟନ୍ ନୁହେଁ, ବରଂ କ୍ରିକେଟ୍ର ପ୍ରତ୍ୟେକ ଫର୍ମାଟ୍ରେ ସର୍ବଶ୍ରେଷ୍ଠ ଦଳ ଭାବେ ଗଢ଼ି ତୋଳିବା।
