ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ମିଳିଛି ସଫଳତା । ଆଇସିସି ରାଙ୍କିଙ୍ଗରେ କେହଲୀ ଏହି ସଫଳତା ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ପଞ୍ଚମ ସ୍ଥାନରୁ ଉଠି ସେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତିି । ତେବେ ବାଂଲାଦେଶ ବିପକ୍ଷରେ ଖରାପ ପ୍ରଦର୍ଶନ ଯୋଗୁଁ ପଞ୍ଚମ ସ୍ଥାନକୁ ଖସିଛନ୍ତି ଡେଭିଡ କନୱେ । ବିରାଟ କୋହଲୀଙ୍କ ବ୍ୟତୀତ ଟପ-୧୦ରେ ଅନ୍ୟତମ ଭାରତୀୟ ଖେଳାଳୀ ଭାବେ ସ୍ଥାନ ପାଇଛନ୍ତି ଓପନର ଲୋକେଶ ରାହୁଲ । କନୱେଙ୍କ ପରେ ଷଷ୍ଠ ସ୍ଥାନରେ ରାହୁଲ ରହିଛନ୍ତି ।
ଇଂଲଣ୍ଡ ଦଳର ବ୍ୟାଟ୍ସମ୍ୟାନ ଡାଭିଡ ମଲାନ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ପାକିସ୍ତାନ ଅଧିନାୟକ ବାବର ଆଜମ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ତୃତୀୟ ସ୍ଥାରେ ଅଛନ୍ତି । ସମସ୍ତ ଖେଳାଳୀଙ୍କ ମଧ୍ୟରେ ଫାଇଦା ବେଶୀ ମିଳିଛି ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକଙ୍କୁ । ଏକାଥରକେ ୪ଟି ପାହାଚ ଉପରକୁ ଲମ୍ଫ ଦେଇ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି ଡିକକ୍ ।
ସେହିପରି ବୋଲର ରାଙ୍କିଙ୍ଗରେ ବାଂଲାଦେଶର ନସୁମ ଅହମ୍ମଦଙ୍କୁ ଏକ ବଡ ସଫଳତା ମିଳିଛି । ଏକାଥରକେ ୨୫ଟି ସ୍ଥାନ ଉପରକୁ ଉଠିଛନ୍ତି ନସୁମ । ଏହି ସଫଳତା ସହିତ ସେ ୧୫ଦଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ତାଙ୍କ ସହିତ ସାଥୀ ଖେଳାଳୀ ମୁସ୍ତାଫିଜୁର ରହମାନ ଦୁଇଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଶୀର୍ଷରେ ୭୭୫ ରେଟିଂ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ତବରେଜ ଶାମସୀ ରହିଛନ୍ତି । ଦ୍ୱିତୀୟରେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ ଆଫଗାନିସ୍ତାନର ଷ୍ଟାର ସ୍ପିନର ରାସିଦ ଖାନ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି । ଇଂଲଣ୍ଡର ଆଦିଲ ରାଶିଦ ଚତୁର୍ଥ ଏବଂ ଆଫଗାନିସ୍ତାନର ମୁଜୀବ-ଉର-ରହମାନ ପଞ୍ଚମ ସ୍ଥାନରେ ଥିବା ବେଳେ କୌଣସି ଭାରତୀୟ ଖେଳାଳୀ ଟପ-୧୦ରେ ସ୍ଥାନ ପାଇ ପାରିନାହାନ୍ତି ।
previous post
next post