ବ୍ୟୁରୋ-: ଲିଡ୍ସ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ବେଶ୍ ନାଟକୀୟ ରହିଛି। ପ୍ରଥମ ଘଣ୍ଟାଏରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଓ ୱିକେଟ ରକ୍ଷକ ବ୍ୟାଟର୍ ଋଷଭ ପନ୍ତ ପରାକ୍ରମୀ କ୍ରିକେଟ୍ ଖେଳିଛନ୍ତି। ହେଲେ ମଧ୍ୟାହ୍ନ ଭୋଜନ ପରେ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ସ୍ଥିତି ଆପାତତଃ ବରାବର କରି ନେଇଛି। ଭାରତକୁ ୪୭୧ ରନ୍ରେ ଅଲଆଉଟ କରିବା ସହ ୩ୱିକେଟ ହରାଇ ୨୦୯ ରନ କରି ଦ୍ୱିତୀୟ ଦିନରେ ସମ୍ମାନଜନକ ସ୍ତିତିରେ ରହିଅଛି । ବୁମରାଙ୍କ ୩ ୱିକେଟ ଛଡ଼ା ଅନ୍ୟ କୌଣସି ଭାରତୀୟ ବୋଲର ପ୍ରଭାବ ପକାଇପାରି ନାହାନ୍ତି।
ପ୍ରଥମ ଦିନରେ ୧୨୭ ରନ୍ରେ ଅପରାଜିତ ଥିବା ଯୁବ ଅଧିନାୟକ ଗିଲ୍ ଏବଂ ୬୫ ରନ୍ରେ ଖେଳୁଥିବା ପନ୍ତ ଶନିବାର ସକାଳୁ ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ। ବିଶେଷ କରି ପନ୍ତ ଅନେକ ଅଣପାରମ୍ପରିକ ତଥା ଦର୍ଶନୀୟ ସଟ୍ ଖେଳି ୧୪୬ ବଲ୍ରୁ ଇଂଲଣ୍ଡ ମାଟିରେ ତୃତୀୟ ଏବଂ ମୋଟ ଉପରେ ସପ୍ତମ ଶତକ ହାସଲ କରିଥିଲେ। ସୋଏବ ବସିରଙ୍କୁ ଗୋଟିଏ ହାତରେ ଛକା ମାରି ତିନି ଅଙ୍କ ଛୁଇଁବା ତାଙ୍କ ପାଳିର ଅନ୍ୟତମ ମୁଖ୍ୟାଂଶ ଥିଲା। ଗିଲ୍ ବି ଦେଢ଼ ଶହ ରନ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିଲେ। ତେବେ ଏହି ମାଇଲ୍ଖୁଣ୍ଟଠାରୁ ୩ ରନ ଦୂରରେ ଥାଇ ସେ ବସିରଙ୍କ ବଳରେ ଶିକାର ହୋଇଥିଲେ। ତଥାପି ନିଜ ଶ୍ରେଷ୍ଠ ଟେଷ୍ଟ ପାଳି ଖେଳିଥିଲେ ଗିଲ୍। ଆଉଟ ହେବା ପୂର୍ବରୁ ପନ୍ତଙ୍କ ସହ ମିଶି ଚତୁର୍ଥ ୱିକେଟ୍ରେ ୨୦୯ ରନ ଯୋଡ଼ି ନେଇଥିଲେ ଗିଲ୍। ଦଳୀୟ ସ୍କୋର୍ ୪୩୦ ରନ୍ ଥିଲା ବେଳେ ଗିଲ୍ ଆଉଟ ହେବା କିନ୍ତୁ ଭାରତୀୟ ପାଳିର ବିପର୍ଯ୍ୟୟକୁ ଟାଣି ଆଣିଥିଲା। ହଠାତ ଗିଲ୍ ବାହିନୀ ଏକାଗ୍ରତା ହରାଇ ଗୋଟିଏ ପରେ ଗୋଟିଏ ୱିକେଟ ପଡି ଚାଲିଥିଲା। ୮ବର୍ଷ ପରେ ଫେରିଥିବା କରୁଣ ନାୟର ଖାତା ଖୋଲି ପାରି ନଥିଲେ। ପନ୍ତ ମଧ୍ୟ ଘରୋଇ ଇଂଲଣ୍ଡର ନବାଗତ ବୋଲର ଜୋସ୍ ଟଙ୍ଗଙ୍କ ବଳରେ ଆଉଟ ହୋଇଥିଲେ ।
ମେଘାଚ୍ଛନ୍ନ ଆକାଶ ଓ କୋହଲା ପାଗ ପାଇଁ ପିଚ୍ ଇଂଲଣ୍ଡ ବୋଲରଙ୍କୁ ହଠାତ୍ ସୁହାଇବାରୁ ଭାରତ ତା’ର ଶେଷ ୭ ୱିକେଟ୍ ମାତ୍ର ୪୧ ରନରେ ହରାଇଥିଲା। ଫଳରେ ୫୦୦ ରନ ଟପିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା ଭାରତୀୟ ଦଳ । ୫ଜଣ ଶୀର୍ଷ ବ୍ୟାଟର୍ଙ୍କ ମଧ୍ୟରୁ ୩ଜଣ ଶତକ ହାସଲ କରିବା ସତ୍ତ୍ବେ ୪୭୧ ରନ୍ରେ ଅଟକି ଥିଲା ଟିମ ଇଣ୍ଡିଆ। ଭାରତ ପାଳି ଶେଷ ହେବା ପରେ ବର୍ଷା ପାଇଁ ଖେଳ ପାଖାପାଖି ୪୫ ମିନିଟ୍ ବନ୍ଦ ରହିଥିଲା। ପୁଣି ଖେଳ ଆରମ୍ଭ ହେବା ପରେ ଯଶପ୍ରୀତ୍ ବୁମ୍ରା ପ୍ରଥମ ଓଭରରେ ଜ୍ୟାକ୍ କ୍ରଲିଙ୍କୁ ଆଉଟ କରି ଗିଲ୍ ବାହିନୀକୁ ବଡ଼ ସଫଳତା ଉପହାର ଦେଇଥିଲେ। ତଥାପି ଇଂଲଣ୍ଡ ତାର ‘ବାଜ୍ବଲ୍’ ରଣନୀତି ଅନୁଯାୟୀ ଆକ୍ରମଣ ଜାରି ରଖିଥିଲା। ସପ୍ତମ ଓଭରରେ ବେନ୍ ଡକେଟଙ୍କ ଏକ ସହଜ କ୍ୟାଚ୍ ହାତଛଡ଼ା ହେବା ଭାରତର ଅଡ଼ୁଆକୁ ବଢ଼ାଇଥିଲା। ଏହାର ସୁଯୋଗ ନେଇ ଡକେଟ ଏବଂ ଓଲି ପୋପ ଇଂଲଣ୍ଡ ପାଳିକୁ କିଛିଟା ସଜାଡ଼ି ଦେଇଥିଲେ। ଫେରନ୍ତା ସ୍ପେଲ୍ରେ ଡକେଟ୍ଙ୍କୁ ବୋଲ୍ଡ କରି ବୁମ୍ରା ଏଥିରେ ବ୍ରେକ୍ ଲଗାଇଥିଲେ। ଦ୍ୱିତୀୟ ଦିନ ସୁଦ୍ଧା ଓଲି ପୋପ୍ଙ୍କ ଶତକ (୧୦୦) ରନ ବଳରେ ଇଂଲଣ୍ଡ ୩ ୱିକେଟ ବିନିମୟରେ ୨୦୯ ରନ କରି ୨୬୨ ରନ ପଛରେ ଥିଲା।