କଟକ: ଓଡିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ଥରେ ବାରବାଟୀରେ ଦେଖିବାକୁ ମିଳିବ ମହାମୁକାବିଲା । ସିଲଭର ସିଟିରେ ଜମିବ ଟି-20 କ୍ରେଜ୍ । ଆସନ୍ତା ମାସ ଜୁନ ୧୨ ତାରିଖରେ ବାରବାଟୀରେ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମହାମୁକାବିଲା। ଏନେଇ ବିସିସିଆଇ ଏବଂ ଖେଳସୂଚୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ତେବେ ଚଳିତ ବର୍ଷ ଫୁଲ ଦର୍ଶକରେ ହେବ ବାରବାଟୀ ମୁକାବିଲା । ଏନେଇ ସରକାରଙ୍କ ସହ ଚାଲିଛି ଆଲୋଚନା ।
ଅନ୍ୟପକ୍ଷେ ଦର୍ଶକଙ୍କୁ ନେଇ ମ୍ୟାଚ ଆୟୋଜନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ କ୍ରୀଡା ସଚିବଙ୍କୁ ଚିଠି ଲେଖିଛି ଓସିଏ । ଖୁବଶୀଘ୍ର ସରକାର ଏନେଇ ଅନୁମତି ପ୍ରଦାନ କରିବେ ବୋଲି ଆଶା ରଖାଯାଇଛି । ମ୍ୟାଚ ପାଇଁ ବସିଥିବା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ ବାରବାଟୀରେ ୪୪ ହଜାର ସିଟର କ୍ଷମତା ରହିଛି ।ଦର୍ଶକଙ୍କୁ ନେଇ ମ୍ୟାଚ ଆୟୋଜନର ଅନୁମତି ମିଳିଲେ ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ସଞ୍ଜୟ କହିଛନ୍ତି ।
ସେହିଭଳି ମ୍ୟାଚ ପୂର୍ବରୁ ବଢ଼ିଛି ଦର୍ଶକଙ୍କ ଟିକେଟ ଟେନସନ । କାରଣ ବାରବାଟିରେ ଖେଳାଯିବାକୁ ଥିବା ଏହି ଟି-୨୦ ମ୍ୟାଚରେ ବଢ଼ିପାରେ ଟିକେଟ୍ ଦର । ଟିକେଟ ମୂଲ୍ୟ ସହିତ ୧୮ ପ୍ରତିଶତ ଜିଏସଟି ଦେବେ ଦର୍ଶକ । ବର୍ଦ୍ଧିତ ଦରରେ ଟିକେଟ କିଣିବେ ଫ୍ୟାନ୍ସ । ଏହି ମ୍ୟାଚ ପାଇଁ ଉଭୟ ଅନଲାଇନ ଓ ଅଫଳାଇନରେ ଉପଲବ୍ଧ ହେବ ଟିକେଟ । ଏଥିସହ ୭ ନମ୍ବର ଗ୍ୟାଲେରୀ କାମ ଚଳିତ ମାସ ସୁଦ୍ଧା ଶେଷ ହେବ ।ଫଳରେ ମୋଟ ୪୪,୪୦୦ ଦର୍ଶକ ଏହି ଗ୍ୟାଲେରୀରେ ବସି ମ୍ୟାଚ ଦେଖିବାର ସୁଯୋଗ ପାଇବେ । ତେବେ ଆସନ୍ତା ସପ୍ତାହ ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।