More Sports

ଜାତୀୟ କ୍ରୀଡ଼ାରେ ପଦକ ବିଜେତାଙ୍କୁ ନଗଦ ପ୍ରୋତ୍ସାହନ ;  ଓଡ଼ିଶା ଦଳରେ ୩୧ଟି ବିଭାଗରେ ୩୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆସନ୍ତା ଅକ୍ଟୋବର ୨୬ତାରିଖରୁ ଗୋଆରେ ଆରମ୍ଭ ହେବାକୁ ଥିବା ଜାତୀୟ କ୍ରୀଡ଼ାର ୩୭ତମ ସଂସ୍କରଣର ପଦକ ବିଜେତାଙ୍କୁ ନଗଦ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଏଥିରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟ ରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫ ଲକ୍ଷ ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ୩ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ  ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଓଡ଼ିଶା ଦଳରେ ୧୮୦ ଜଣ ମହିଳାଙ୍କ ସମେତ ୩୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ ଏବଂ ୩୧ଟି ବିଭାଗରେ ଭାଗ ନେବେ।ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମଗ୍ର ଦଳକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରତିଯୋଗିତାରେ ଓଡ଼ିଶା ଚମକିବ ବୋଲି ମୁଁ ଆଶାବାଦୀ । ବିଗତ କିଛି ବର୍ଷ ମଧ୍ୟରେ ଆମର ଆଥଲେଟମାନେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି। ଏସୀୟ କ୍ରୀଡ଼ାରେ ଆମ ଆଥଲେଟ ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି I ଜାତୀୟ କ୍ରୀଡ଼ାରେ ମଧ୍ୟ ଏହିଭଳି ପ୍ରଦର୍ଶନ ଆମେ ଆଶା ରଖୁଛୁ I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  “କ୍ରୀଡ଼ା ପାଇଁ ଯୁବଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି” ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶା କ୍ରୀଡ଼ାକ୍ଷେତ୍ରରେ ଯଥେଷ୍ଟ ପୁଞ୍ଜିନିବେଶ କରିଛି। ଉନ୍ନତ ତାଲିମ ଓ ପ୍ରଶିକ୍ଷଣ ସୁବିଧା, ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ବିଭିନ୍ନ ସହାୟତା ବ୍ୟବସ୍ଥା ଯୋଗୁଁ ଓଡ଼ିଶାର କ୍ରୀଡ଼ାବିତମାନେ ଜାତୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିବା ପାଇଁ କଠିନ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିଭାଙ୍କୁ ଚିହ୍ନଟ କରି ଅନ୍ତର୍ଜାତୀୟ ସ୍ତରର ଆଥଲେଟ ନିର୍ମାଣ କରିବା ଦିଗରେ ରାଜ୍ୟସରକାର ଦୃଢ଼ ସଂକଳ୍ପବଦ୍ଧ I

କ୍ରୀଡ଼ା ବିକାଶରେ ଏହି ପୁଞ୍ଜିନିବେଶ ଯୁବ କ୍ରୀଡ଼ାବିତ୍ ଙ୍କ ଆକାଂକ୍ଷାକୁ ଜାଗ୍ରତ କରୁଛି ଏବଂ ସେମାନଙ୍କୁ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକ ଉପକରଣ ଏବଂ ସମ୍ବଳ ଯୋଗାଇ ଦେଉଛି I ଯାହା ଆଗାମୀ ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ପରିଚୟ ସୃଷ୍ଟି କରିବାପାଇଁ ମଞ୍ଚ ସୃଷ୍ଟି କରୁଛି।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୀନର ହାଙ୍ଗଝୌ ଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଓଡ଼ିଶାର କ୍ରୀଡ଼ାବିତ ଙ୍କ ବିଜୟକୁ ସ୍ୱୀକୃତି ଦେଇଥିଲେ। ସ୍ୱର୍ଣ୍ଣ ପଦକ ବିଜେତା ତଥା ହକି ତାରକା ଅମିତ ରୋହିଦାସଙ୍କୁ ୧.୫ କୋଟି ଟଙ୍କା ଏବଂ ତାଙ୍କ ସାଥୀ ଦୀପଗ୍ରେସ୍ ଏକ୍କାଙ୍କୁ କାଂସ୍ୟ ପଦକ ପ୍ରଦର୍ଶନ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାବ୍ୟତୀତ ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମଧ୍ୟ ଦେଢ଼ କୋଟି ଟଙ୍କା ପ୍ରଦାନ କରାଯାଇଛି।

Related posts

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

Odisha Sports Bureau

ଦୂତିଙ୍କ ବିଏମଡବ୍ଲୁ ବିକ୍ରି ପୋଷ୍ଟରେ କିଟ୍ ପ୍ରତିଷ୍ଠାତାଙ୍କୁ ସରସ୍ୱତୀଙ୍କ ଆକ୍ରମଣ

Odisha Sports Bureau

ଦୂତିଙ୍କୁ ମିଳିଲା ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନ

Odisha Sports Bureau