ଏସିଆ କପକୁ ନେଇ ଲାଗିଥିବା ବିବାଦ ଏବେ ଥମିଛି । ପାକିସ୍ତାନର ହାଇବ୍ରିଡ ମଡେଲକୁ ସମସ୍ତେ ସହମତି ଦେବା ପରେ ଏବେ ପାକିସ୍ତାନ ଏସିଆ କପ୍ ଆୟୋଜକ ହେବା ନିଶ୍ଚିତ ହୋଇଛି । ତେବେ ଏସିଆ କପ ପାଇଁ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ସହମତି ହୋଇଯିବା ପରେ ଏବେ ଦିନିକିଆ ବିଶ୍ୱକପ ପୂର୍ବରୁ ନୂଆ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ପାକିସ୍ତାନ । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପିସିବି ଅଧ୍ୟକ୍ଷ ନଜମ ସେଟ୍ଟୀ ।
ଏସିଆ କପରେ ହାଇବ୍ରିଡ ମଡେଲକୁ ମଞ୍ଜୁରୀ ମିଳିବା ପରେ ଦିନିକିଆ ବିଶ୍ୱକପକୁ ନେଇ କୌଣସି ଦ୍ୱନ୍ଦ୍ୱ ଦେଖିବାକୁ ମିଳିବନି ବୋଲି କୁହାଯାଉଥିଲା । କିନ୍ତୁ ପିସିବି ଅଧ୍ୟକ୍ଷ ନଜମ ସେଟ୍ଟୀ ଭାରତରେ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଟିମ୍ ଭାଗ ନେଇପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ନଜମ କହିଛନ୍ତି, ଟିମ୍ କେଉଁ ଦେଶକୁ ଖେଳିବାକୁ ଯିବ କି ନାହିଁ ତାହା ସରକାର ମଞ୍ଜୁରୀ ଅଧୀନ । ଆଉ ନଜମଙ୍କ ଏଭଳି ବୟାନ ଏବେ ଆଇସିସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନଜମ କହିଛନ୍ତି, ପାକିସ୍ତାନ ଓ ଭାରତ ମ୍ୟାଚକୁ ନେଇ ନା ପିସିବି ନିଷ୍ପତ୍ତି ନେଇପାରିବ ନା ବିସିସିଆଇ । କାରଣ ଉଭୟ ଦେଶ କେଉଁଠାରେ ଖେଳିବେ ତାହାର ନିଷ୍ପତ୍ତି ସରକାର ହିଁ ନେଇପାରିବେ ।
ସାମ୍ବାଦିକ ସମ୍ମିଳନୀରେ ନଜମ କହିଛନ୍ତି, ଏହି ମାମଲାରେ ସରକାର ଶେଷ ନିଷ୍ପତ୍ତି ନେବେ । କାରଣ ଯେତେବେଳେ ପାକିସ୍ତାନରେ ଭାରତ ଖେଳିବା ନେଇ କଥା ଉଠେ ସେତେବେଳେ ଭାରତ ସରକାର ସ୍ଥିର କରନ୍ତି ତାଙ୍କ ଟିମ୍ କେଉଁଠାରେ ଖେଳିବ । ତେଣୁ ଆମକୁ ପଚାରିବାର ଆବଶ୍ୟକତା ନାହିଁ ଯେ, ଆମ ଟିମ୍ ଅହମ୍ମଦାବାଦରେ ଖେଳିବ କି ନାହିଁ । ସମୟ ଆସିଲେ ଏହା ମଧ୍ୟ ସ୍ପଷ୍ଟ ହେବ ଯେ, ଆମ ଟିମ ଭାରତକୁ ଯିବ କି ନାହିଁ କିମ୍ବା ସରକାର ନିଷ୍ପତ୍ତି ନେବେ ଆମେ କେଉଁଠି ଖେଳିବୁ । ଏଭଳି କହି ଦିନିକିଆ ବିଶ୍ୱକପରେ ପାକିସ୍ତାନ ଭାଗ ନେବ କି ନାହିଁ ତାହାକୁ ସସପେନ୍ସରେ ରଖିଛି ।