ନୂଆଦିଲ୍ଲୀ: ପ୍ରଥମେ ଦିନିକିଆ ଆଉ ଏବେ ଟ୍ୱେଣ୍ଟି ଟ୍ୱେଣ୍ଟିି ସିରିଜ୍ । ଉଭୟ ସିରିଜରେ ଚିତପଟାଙ୍ଗ ମାରିଛି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ । ଦିନିକିଆ ସିରିଜରେ ମୂଳପୋଛ ହେବା ପରେ ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ଟି-୨୦ ସିରିଜରେ ମଧ୍ୟ ୦-୩ରେ ପରାଜିତ ହୋଇଛି ଓ୍ବେଷ୍ଟଇଣ୍ଡିଜ । ଏହା ସହିତ ଭାରତ ଆହୁରି ଅନେକ ରେକର୍ଡ ମଧ୍ୟ ତିଆରି କରିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ (ଆଇସିସି) ଦ୍ବାରା ସଦ୍ୟ ପ୍ରକାଶିତ ରାଙ୍କିଂରେ ଭାରତ ପୁଣି ଥରେ ଶୀର୍ଷକୁ ଉନ୍ନୀତ ହୋଇଛି । ପ୍ରାୟ ୬ ବର୍ଷ ପରେ ଭାରତ ପୁଣି ଥରେ ଟ୍ୱେଣ୍ଟି ଟ୍ୱେଣ୍ଟି ରାଙ୍କିଂରେ ପ୍ରଥମ ସ୍ଥାନକୁ ଉଠିଛି ।
ପୂର୍ବରୁ ଧୋନୀଙ୍କ ଅଧିନାୟକତ୍ବ ସମୟରେ ଭାରତ ରାଙ୍କିଂ ଶୀର୍ଷରେ ଥିଲା । ୨୦୧୬ରେ ଶେଷ ଥର ପାଇଁ ଭାରତ ଟି- ଟ୍ୱେଣ୍ଟି ରାଙ୍କିଂରେ ପ୍ରଥମ ସ୍ଥାନରେ ଥିଲା । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ୨୬୮ ରେଟିଂସହ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ଥିଲା ଭାରତ । ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିଲା । ତେବେ ସିରିଜରେ ୩-୦ରେ ବିଜୟୀ ହେବା ପରେ ୨୬୯ ରେଟିଂ ସହ ଭାରତ ଟପ୍କୁ ଉଠିଛି ।
ଏହା ପୂର୍ବରୁ ୨୦୧୬ ଫେବୃଆରୀ ୧୨ ତାରିଖରୁ ମେ ୩ ଯାଏଁ ଭାରତୀୟ ଦଳ ଟ୍ୱେଣ୍ଟି ଟ୍ୱେଣ୍ଟି ରାଙ୍କିଂରେ ନମ୍ବର ଓ୍ବାନ୍ ଥିଲା । ସେତେବେଳେ ଭାରତୀୟ ଟିମର ନେତୃତ୍ବ ନେଉଥିଲେ ଏମ୍ ଏସ୍ ଧୋନୀ । ତାଙ୍କ ପରେ ବିରାଟ କୋହଲି ଅଧିନାୟକ ପଦରେ ରହିଥିଲା ସୁଦ୍ଧା ଦଳକୁ ଶୀର୍ଷରେ ପହଞ୍ଚାଇ ପାରିନଥିଲେ । କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଲମ୍ବା ସମୟ ଧରି ଟେଷ୍ଟରେ ୧ ନଂ ରହିଥିଲା ସତ କିନ୍ତୁ ଟି-୨୦ରେ ସେହି ତାଜ୍ ହାସଲ କରିବାକୁ ସଫଳ ହୋଇପାରିନଥିଲେ ବିରାଟ ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନେତୃତ୍ବ ନେଇଥିଲେ ରୋହିତ ଶର୍ମା । ନେତୃତ୍ବ ନେବା ପରେ ପରେ ହିଁ ରୋହିତଙ୍କୁ ମିଳିଛି ବଡ ସଫଳତା । ପ୍ରଥମେ ଦିନିକିଆ ଏବଂ ପରେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ଜିତିଛି ଭାରତ । ଯାହା ଫଳରେ ଟି-୨୦ ଇତିହାସରେ ଭାରତର ତୃତୀୟ ସବୁଠାରୁ ସଫଳ ଅଧିନାୟକ ହୋଇଯାଇଛନ୍ତି ରୋହିତ ଶର୍ମା ।
ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ମହେନ୍ଦ୍ର ସିଂହ ଧୋନୀ ମୋଟ ୭୨ଟି ମ୍ୟାଚରେ ଅଧିନାୟକତ୍ବ କରିଥିବା ବେଳେ ଦଳ ୪୧ଟି ବିଜୟ ହୋଇଛି ଏବଂ ୨୮ଟିରେ ପରାଜିତ ହେବାକୁ ପଡିଛି । ସେହିଭଳି ବିରାଟ କୋହଲି ମୋଟ ୫୦ଟି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଛନ୍ତି । ସେଥିମଧ୍ୟରୁ ୩୦ଟି ରେ ଦଳ ବିଜୟୀ ହୋଇଥିବା ବେଳେ ୧୬ଟି ପରାଜିତ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ୨୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ଖେଳିଛି ଭାରତ । ସେଥିମଧ୍ୟରୁ ୨୧ଟିରେ ଦଳ ବିଜୟୀ ହୋଇଥିବା ବେଳେ ମାତ୍ର ୪ଟିରେ ଭାରତ ପରାଜିତ ହୋଇଛି ।