Cricket

ଆଇପିଏଲ୍ ମହାସମରରେ ଶୀର୍ଷରେ RCB

ଗତକାଲିର ଧୁଆଁଦାର ମ୍ୟାଚ୍ ପରେ ଏବେ ଆଇପିଏଲ୍ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି RCB ଗତକାଲି ଚେନ୍ନାଇ ସୁପରକିଙ୍ଗ୍ ବିପକ୍ଷରେ ଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଯେଉଁଥିପାଇଁ କ୍ରମାଗତ ଭାବେ ୨ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି ଆରସିବି। ଟିମ୍ ଡେଭିଡ, ଦେବଦତ୍ତ ପଡିକଲ, ଅଧିନାୟକ ରଜତ ପଟିଦାର ଓ ଫିଲିପ୍ ସଲ୍ଟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆର୍‌ସିବି ୨୦ ଓଭରରେ ୩ ଉଇକେଟ ହରାଇ ୨୫୦ ରନ କରିଥିଲା। ଯାହାକି ଚଳିତ ସିଜନରେ ସର୍ୱାଧିକ ଦଳଗତ ସ୍କୋର ଥିଲା। ଜବାବରେ ଚେନ୍ନାଇ ୧୯.୪ ଓଭରରେ ୨୦୭ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ଆରସିବି ପକ୍ଷରୁ ଭଲ ଆରମ୍ଭ କରିଥିଲେ ବିରାଟ କୋହଲି ଓ ଫିଲ୍ ସଲ୍ଟ। ତେବେ ଓପନିଂ ଯୋଡ଼ିରେ ୩୭ ରନ ଯୋଗ ହେବାପରେ ବିରାଟ କୋହଲି ଆଉଟ ହେବାରୁ ଷ୍ଟାଡିୟମରେ ନୀରବତା ଛାଇ ଯାଇଥିଲା। ୧୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବିରାଟ ୨ ଚୌକା ଓ ୧ ଛକା ସହାୟତାରେ ୨୮ ରନ କରିଥିଲେ। ତେବେ ଫିଲ୍ ସଲ୍ଟ ଓ ଦେବଦତ୍ତ ପଡିକଲ ଦ୍ୱିତୀୟ ଉଇକେଟରେ ୫୬ ରନ ଯୋଡ଼ି ଇନିଂସ ସମ୍ଭାଳି ନେଇଥିଲେ। ସଲ୍ଟ ୪୬ (୩ ଚୌକା, ୨ ଛକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ମାତ୍ର ପଡିକଲଙ୍କ ସହିତ ଅଧିନାୟକ ରଜତ ପଟିଦାର ଯୋଗଦେବାରେ ରନ ହାର ଦ୍ରୁତ ହାରରେ ବଢ଼ିଥିଲା। ଦୁହେଁ ମାତ୍ର ୨୧ ବଲ୍‌ରୁ ୫୮ ରନର ଭାଗୀଦାରି ଗଢ଼ିଥିଲେ। ଇତିମଧ୍ୟରେ ପଡିକଲ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ତେବେ ପଡିକଲ ଠିକ୍ ୫୦ (୨୯ ବଲ, ୫ ଚୌକା, ୨ ଛକା) ରନ କରିଥିବାବେଳେ ଜେମି ଓଭର୍ଟନଙ୍କ ବଲ୍‌ରେ ସ୍କୁପ ଶଟ୍ ଖେଳିବାକୁ ଯାଇ ବୋଲ୍ଡ ହୋଇଯାଇଥିଲେ।

ପଡିକଲଙ୍କ ବିଦାୟପରେ ପଟିଦାର ଓ ଟିମ୍ ଡେଭିଡ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ। ଦୁହେଁ ଛକା ଓ ଚୌକା ବର୍ଷା କରି ଚେନ୍ନାଇ ବୋଲରଙ୍କୁ ଚକିତ କରିଥିଲେ। ଅସମାପ୍ତ ୪ର୍ଥ ଉଇକେଟରେ ଦୁହେଁ ମାତ୍ର ୩୬ ବଲ୍‌ରୁ ୯୯ ରନ ସଂଗ୍ରହ କରିବାରୁ ଆର୍‌ସିବି ସ୍କୋର ୨୫୦ ସ୍ପର୍ଶ କରିଥିଲା। ପଟିଦାର ୧୯ ବଲ୍‌ରୁ ୪୮ (୧ ଚୌକା, ୬ ଛକା) ଓ ଡେଭିଡ ୨୫ ବଲ୍‌ରୁ ୭୦ (୩ ଚୌକା, ୮ ଛକା) ରନରେ ଅପରାଜିତ ରହିଥିଲେ। ଚେନ୍ନାଇ ପକ୍ଷରୁ ଅଂଶୁଲ କମ୍ୱୋଜ, ଜେମି ଓଭର୍ଟନ ଓ ଶିବମ୍ ଦୁବେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ତେବେ ଆରସିବିର ଏ ଚମତ୍‌କାର ପରଫରମାନ୍ସ ପରେ ଏବେ ଆରସିବି ଫ୍ୟାନ୍ସ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Related posts

ବିଶ୍ୱକପର ଦ୍ୱିତୀୟ ସେମିଫାଲନାଲ : ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି

Odisha Sports Bureau

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ

Odisha Sports Bureau

ଇଂଲଣ୍ଡର ଶୋଏବ ବଶିରଙ୍କୁ ‘ପାକିସ୍ତାନୀ’ ହେବା ଭାରି ପଡିଲା?

Odisha Sports Bureau