Cricket

୨୭ରୁ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍: ତୟାର ହେଉଛନ୍ତି ରୋହିତ ବାହିନୀ

ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ୨୮୦ ରନ୍‌ରେ ଜିତିବା ପରେ କାନପୁରରେ ୨୭ ତାରିଖ ଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଲାଗି ତୟାର ହେଉଛନ୍ତି ରୋହିତ ବାହିନୀ। ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍ ଖେଳିବା ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍‌ର ମଧ୍ୟ ଢେର ଗୁରୁତ୍ବ ରହିଛି। ଏଥିଲାଗି କିନ୍ତୁ ଭାରତୀୟ କ୍ରିକେଟ୍ ଦଳକୁ କାନପୁର ସହ ଚଳିତ ଋତୁର ଅବଶିଷ୍ଟ ୯ ମ୍ୟାଚ୍‌ରୁ ଅନ୍ୟୂନ ଚାରିଟି ବିଜୟ ଅର୍ଜନ କରିବାର ଦରକାର ରହିଛି। ବାଂଲାଦେଶ ବିପକ୍ଷ ଗୋଟିଏ ମ୍ୟାଚ୍‌ ସହ ନ୍ୟୁଜିଲାଣ୍ଡ ବିପକ୍ଷ ତିନିଟି (ଘରୋଇ ପରିବେଶ) ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ପାଞ୍ଚଟି ଟେଷ୍ଟ୍ ଭାରତ ହାତରେ ରହିଛି। ତେବେ ଏହି ଚାରିଟି ବିଜୟ ଲକ୍ଷ୍ୟ ପୂରଣ କରିବା ଲାଗି ଘରୋଇ ପରି‌ବେଶରେ ଖେଳିବାକୁ ଥିବା ମ୍ୟାଚ୍‌ ଭାରତ ପାଇଁ ଭଲ ସୁଯୋଗ ଭାବେ ଉଭା ହୋଇଛି। କାରଣ ଅଷ୍ଟ୍ରେଲିଆ ମାଟିରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଶୃଙ୍ଖଳାର ୫ ଟେଷ୍ଟ୍‌ରେ ବିଜୟୀ ହେବା ଭାରତ ପାଇଁ ଆଦୌ ସହଜ ହେବନି। ଚେନ୍ନାଇରୁ କାନପୁରକୁ ଧ୍ୟାନ ହଟିବା ସହ ଉଭୟ ଭାରତ ଓ ବାଂଲାଦେଶ ପାଇଁ କିନ୍ତୁ ପିଚ୍ ନୂଆ ଆହ୍ବାନ ଭାବେ ଉଭା‌ ହେବାକୁ ଯାଉଛି। କାରଣ ଚେନ୍ନାଇର ଲାଲ୍ ମାଟି ପିଚ୍ ସ୍ପୋର୍ଟିଂ ଓ ବାଉନ୍ସି ଥିଲା ବେଳେ କାନପୁରର କଳା ମାଟି ପିଚ୍ ପାରମ୍ପରିକ ଭାବେ ସ୍ପିନରଙ୍କୁ ସୁହାଇ ଆସୁଛି। ଉଭୟ ସ୍ଥାନର ପିଚ୍‌ ମଧ୍ୟରେ ଆକାଶପାତାଳ ଫରକ ଥିଲା ବେଳେ ସ୍ବଭାବ ହେଉଛି ପୂରା ବିପରୀତ। କ୍ରିକେଟ୍ ଉତ୍ତରରୁ ଦକ୍ଷିଣ ଭାରତକୁ ଆସିବା ସହ ପାଗ ଓ ପରିବେଶ ମଧ୍ୟ ବଦଳିବ। ସେହି ଦୃଷ୍ଟିରୁ ଉଭୟ ଦଳକୁ ସେମାନଙ୍କ ରଣନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ। ତେବେ ଏଥରର ପିଚ୍‌ ପ୍ରଥମ ଦିନରୁ ସ୍ପିନ୍ ଧରିବାର ସମ୍ଭାବନା କମ୍ ଥିବା କ୍ୟୁରେଟର ସଙ୍କେତ ଦେଇଥିବାରୁ ଉଭୟ ଦଳ ଏଥିଲାଗି ଶାନ୍ତିର ନିଶ୍ବାସ ମାରିପାରିବେ।

Related posts

୧୫ରେ ଭାରତରେ ହେବ ଭାରତ-ପାକିସ୍ଥାନ ମହା ମୁକାବିଲା

କିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନ

Odisha Sports Bureau

ଟି-୨୦ ମ୍ୟାଚ ଖେଳିବେନି ରୋହିତ ବିରାଟ ଓ ବୁମରା

Odisha Sports Bureau