କଟକ : ଚଳିତ ବିଶ୍ବକପ୍ରେ ବାରବାଟୀ ଷ୍ଟାଡିୟମକୁ ଗୋଟିଏ ବି ମ୍ୟାଚ୍ ମିଳି ନଥିବାରୁ ନିରାଶ ହୋଇଥିବା ଓଡ଼ିଶାର କ୍ରିକେଟ୍ପ୍ରେମୀଙ୍କ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପୁଣି ଥରେ ଖୁସି ଖବର ଆଣିବାକୁ ଉଦ୍ୟମ କରୁଛି। ଏଥିପାଇଁ ଓସିଏ ପ୍ରଥମେ ବାରବାଟୀ ପିଚ୍କୁ ପ୍ରସ୍ତୁତ କରିଛି। ମହାରାଷ୍ଟ୍ରର ୱେଷ୍ଟର୍ଣ୍ଣ ଘାଟରୁ ନାଲି ମାଟି ଆଣି ବାରବାଟୀରେ ରେଡ୍ ଫିକ୍ସ ପିଚ୍ ତିଆରି କରିଛି। ଦୀର୍ଘ ୬ ମାସ ହେବ ଚାଲିଥିବା ପିଚ୍ ପ୍ରସ୍ତୁତି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପିଚ୍ ପରୀକ୍ଷା ପାଇଁ ପ୍ରଥମେ ଅଭ୍ୟାସ ମ୍ୟାଚ୍ କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ୨୮ ବର୍ଷ ହେବ ବାରବାଟୀକୁ ଫେରି ନଥିବା ଟେଷ୍ଟ୍ କ୍ରିକେଟ୍ ପୁଣି ଥରେ ଫେରିବ ବୋଲି ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି। ଓସିଏକୁ ସ୍ଥାୟୀ ଭାବେ ଟେଷ୍ଟ୍ ଭେନ୍ୟୁ କିଭଳି କରାଯିବ ସେଥିପାଇଁ ଉଦ୍ୟମ ଅବ୍ୟାହତ ରହିଛି। ବିସିସିଆଇ ମଧ୍ୟ ଏଥିପାଇଁ ଏକ ପ୍ରକାର ସହମତି ପ୍ରକାଶ କରିଛି। ବାରବାଟୀକୁ କିଭଳି ଅଧିକ ମ୍ୟାଚ୍ ମିଳିବ ସେଥିପାଇଁ ବାରବାଟୀ ପିଚ୍ ଓ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ସବୁ ପ୍ରକାର ଉଦ୍ୟମ ହେଉଛି। ଏଥି ସହିତ ଏହି ପିଚ୍ ଉଭୟ ଏକଦିବସୀୟ ଓ ଟେଣ୍ଟି-୨୦ ମ୍ୟାଚ୍ ପାଇଁ ମଧ୍ୟ ଫଳପ୍ରଦ ହେବ ବୋଲି ଶ୍ରୀ ବେହେରା କହିଛନ୍ତି।
୬ ମାସ ହେବ ବାରବାଟୀ ପିଚ୍କୁ ଏକ ନୂଆ ଢଙ୍ଗରେ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ଥିବା ବ୍ଲାକ୍ ଫିକ୍ସ ସଏଲ୍ ବା ମାଟିରେ ବାରବାଟୀକୁ ପ୍ରସ୍ତୁତ କରାଯାଇଥିଲା। କାକିନାଡ଼ାରୁ ମାଟି ଆଣି ପିଚ୍ ପ୍ରସ୍ତୁତ କରାଯାଇଥିଲା। ମାତ୍ର ଏବେ ଅନ୍ତର୍ଜାତୀୟ କ୍ରିକେଟ୍ରେ ନାଲି ମାଟିରେ ପ୍ରସ୍ତୁତ ପିଚ୍ ଅଧିକ ଫଳପ୍ରଦ ହେଉଥିବାରୁ ଏହାକୁ ସେହିଭଳି ପ୍ରସ୍ତୁତ କରାଯାଇଛି। ବାରବାଟୀ ପିଚ୍ ଉଭୟ ଏକଦିବସୀୟ, ଟ୍ବେଣ୍ଟି-୨୦ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏବେ ଟେଷ୍ଟ୍ ଭେନ୍ୟୁ କରିବା ପାଇଁ ଓସିଏ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛି। ବାରବାଟୀ ଟେଷ୍ଟ୍ ଭେନ୍ୟୁ ପାଇଁ ନିକଟ ଭବିଷ୍ୟତରେ ଆଇସିସିର ଏକ ପ୍ରତିନିଧି ମଣ୍ଡଳୀ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ଆଗାମୀ ଦିନରେ ଓସିଏ ତାର ନିଜସ୍ବ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ମଧ୍ୟ ଆଲୋଚନା ଜାରି ରଖିଛି।
ଅତ୍ୟାଧୁନିକ ଭିତ୍ତିଭୂମି ଥିବା ଷ୍ଟାଡିୟମ ନିର୍ମାଣ ପାଇଁ ଉଦ୍ୟମ କରାଯିବ। ଓଡ଼ିଶାରେ କିଭଳି ଆଗାମୀ ଦିନରେ ଏକ ବିଶ୍ବସ୍ତରୀୟ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରାଯିବ, ସେଥିପାଇଁ ମଧ୍ୟ ସରକାରଙ୍କ ସହିତ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମ ଏକଦା ଦେଶର କିଛି ହାତ ଗଣତି ଷ୍ଟାଡିୟମ ମଧ୍ୟରେ ଅନ୍ୟତମ ଥିଲା। ୧୯୮୨ରେ ବାରବାଟୀରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ଭେଟିଥିଲା। ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। ତେବେ ବାରବାଟୀକୁ ୨୮ ବର୍ଷ ହେବ ଟେଷ୍ଟ୍ ମ୍ୟାଚ୍ ମିଳୁ ନଥିଲା। ୧୯୮୭ରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ ବାରବାଟୀରେ ଖେଳାଯାଇଥିଲା। ପରେ ୧୯୯୫ରେ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ମ୍ୟାଚ୍ ଏଠାରେ ଅନୁଷ୍ଠିତ ହୋଇଥିଲା। ଏବେ ପୁଣି ଥରେ ବାରବାଟୀକୁ ଟେଷ୍ଟ୍ ଫେରିବା ଆଶା ଉଜ୍ବଳ ହୋଇଛି।