ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତର ଠାରେ ଗତ ୧ମାସ ଧରି କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଇଥିବା କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି । ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ଗତକାଲି ବିଜେପି ସାଂସଦ ପ୍ରୀତମ ମୁଣ୍ଡେ ପରୋକ୍ଷରେ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ବେଳେ ଏବେ ୧୯୮୩ ବିଶ୍ୱକପ୍ ବିଜେତା ଟିମ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବୟାନ ଦେଇଛନ୍ତି । ଟିମ୍ ତରଫରୁ ଏକ ମିଳିତ ବୟାନରେ କୁହାଯାଇଛି କି କୁସ୍ତିଯୋଦ୍ଧାଙ୍କ ସହ ଯେଭଳି ଭାବେ ବ୍ୟବହାର କରାଗଲା ତାହା ସେମାନଙ୍କୁ ଚକିତ କରିଛି।
ସୂଚନା ଥାଉକି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟଙ୍କ ସହ ଅନେକ ବରିଷ୍ଠ କୁସ୍ତିଯୋଦ୍ଧା ଦିଲ୍ଲୀରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ପ୍ରଦର୍ଶନ ସ୍ଥଳରୁ ସେମାନଙ୍କୁ ଉଠାଇଦେବାକୁ କିଛିଦିନ ତଳେ ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ବଳ ପ୍ରୟୋଗ କରିଥିଲା । ଶୁକ୍ରବାର ଦିନ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ତରଫରୁ ମିଳିତ ବୟାନରେ କୁହାଯାଇଛି କି, ଦିଲ୍ଲୀ ପୋଲିସ ଦ୍ୱାରା ଯେଭଳି ଭାବେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ଉପରେ ବଳ ପ୍ରୟୋଗ କରାଗଲା ସେହି ଦୃଶ୍ୟ ଅଶୋଭନୀୟ ଓ ସେମାନଙ୍କୁ ବ୍ୟଥିତ କରିଛି ।