Cricket

କ୍ରିକେଟ୍ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍ ଦଳର ଅପରାଜେୟ ଯାତ୍ରା ଜାରି

କ୍ରିକେଟ୍ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍ ଦଳର ଅପରାଜେୟ ଯାତ୍ରା ଜାରି ରହିଛି। ରବିବାର ବିଜେତା ଇଂଲଣ୍ଡକୁ ଠିକ୍ ୧୦୦ ରନ୍‌ରେ ହରାଇ ରୋହିତ ବାହିନୀ ୬ ମ୍ୟାଚ୍‌ରୁ ଲଗାତାର ୬ ବିଜୟ ହାସଲ କରିଛି। ଫଳରେ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଫେରିବା ସହ ସେମିଫାଇନାଲ୍ ପ୍ରବେଶର ଦ୍ବାର ଦେଶରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଅନ୍ୟତମ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିବା ଇଂଲଣ୍ଡ ଆଶ୍ଚର୍ଯ୍ୟଜନକ ଭାବେ ଷଷ୍ଠ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରି ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିଛି। ଭାରତୀୟ ଦଳର ଏଭଳି ଆଧିପତ୍ୟଭରା ଖେଳ ୧୪୦ କୋଟି ଭାରତୀୟଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି।

ମଲାନ ଓ ରୁଟ୍‌ଙ୍କୁ ଲଗାତାର ବଲ୍‌ରେ ଆଉଟ୍ କରି ଯଶପ୍ରୀତ ବୁମ୍‌ରା ହିଁ ଇଂଲଣ୍ଡ ବିପର୍ଯ୍ୟୟର ଶୁଭାରମ୍ଭ କରିଥିଲେ। ଅନ୍ୟମାନେ ପାଦ ଜମିବା ପୂର୍ବରୁ ଆପେ ଆପେ ଆତ୍ମସମର୍ପଣ କରିଦେଇଥିଲେ। ଭାରତୀୟ ବୋଲରମାନେ ଏମିତି ମାପଚୁପ ଓ ଶାଣିତ ବୋଲିଂ କରିଥିଲେ ଯେ କେବଳ ଲିଆମ ଲିଭିଂଷ୍ଟୋନ୍ ୨୦ ରନ୍ ଟପି ପାରିଥିଲେ। ଅସହାୟ ଇଂଲଣ୍ଡ ୩୪.୫ ଓଭରରେ ମାତ୍ର ୧୨୯ ରନ୍ କରି ଅଲ୍‌ଆଉଟ୍ ହୋଇ ଶୋଚନୀୟ ଭାବେ ମ୍ୟାଚ୍ ହାରିଥିଲା। ଦୁଇ ଭାରତୀୟ ଦ୍ରୁତ ବୋଲର ବୁମ୍‌ରା ଓ ମହମ୍ମଦ ସାମି ୭ ୱିକେଟ୍ ବାଣ୍ଟି ଇଂଲଣ୍ଡକୁ ପୂରା ଘାଇଲା କରି ଦେଇଥିଲେ। କଚଟି ସ୍ପିନର କୁଲଦୀବ ଯାଦବ ଏବଂ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େବା ନିଜ ନିଜ ଯାଦୁ ଦେଖାଇ ଅବଶିଷ୍ଟ ୩ ୱିକେଟ୍ କରାୟତ୍ତ କରି ନେଇଥିଲେ। ଛୋଟ ସ୍କୋର କରିଥିଲେ ମଧ୍ୟ ଉଚ୍ଚଗୁଣମାନର ବୋଲିଂ ବଳରେ ଭାରତ ଶେଷରେ ଏକତରଫା ବିଜୟ ହାସଲ କରିଥିଲା। ଇଂଲଣ୍ଡର ୧୦ ଜଣ ବ୍ୟାଟର୍‌ଙ୍କ ଭିତରୁ ୬ଜଣ ବୋଲ୍ଡ ହେବା ରବିବାର ମ୍ୟାଚ୍‌ର ଅନ୍ୟତମ ମୁଖ୍ୟାଂଶ ଥିଲା। ଅନ୍ୟକେହି କ୍ରିଜ୍‌ରେ ରହି ପାରୁ ନଥିଲା ବେଳେ ୩ଟି ଦର୍ଶନୀୟ ଛକା ଓ ୧୦ଟି ଚୌକା ସହାୟତାରେ ୮୭ ରନ୍‌ର ଲଢ଼ୁଆ ପାଳି ଖେଳିଥିବା ‌ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏକମାତ୍ର ଦଳ ଭାବେ ‌ଏପର୍ଯ୍ୟନ୍ତ ବିଶ୍ବକପ୍‌-୨୦୨୩ରେ କୌଣସି ମ୍ୟାଚ୍ ହାରି ନଥିବା ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ନଭେମ୍ବର ୨ ତାରିଖରେ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ।

Related posts

ପ୍ରଥମ ଦିନିକଆରେ ଭାରତ ଆଗରେ ୨୮୯ ର ବିଜୟ ଲକ୍ଷ୍ୟ

Odisha Sports Bureau

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ୩ଦିନିଆ ଅଭ୍ୟାସ ମ୍ୟାଚ

Odisha Sports Bureau

ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ