ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ | ଏହାରିଭିତରେ ଏବେ ପୁଣି ଆଉ ଏକ ଦାବି ରଖିଛନ୍ତି କୁସ୍ତିଯୋଦ୍ଧା | ସେମାନଙ୍କ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଳୁଏଫ୍ଆଇ)ର ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ କରାଯାଉ ଲାଏ ଡିଟେକ୍ଟର ନାର୍କୋ ଟେଷ୍ଟ | କାରଣ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଯଦି ମିଛ ହୋଇଥିବ ତାହେଲେ ସବୁ ସତ ପାଦରେ ପଡିବ | ଏ ନେଇ ଦାବି କରିଛନ୍ତି ସାକ୍ଷୀ ମଲ୍ଲିକ | ଏଥିସହିତ ସମସ୍ତ ବୟସବର୍ଗର ପ୍ରତିଯୋଗିତାଗୁଡ଼ିକ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍ ହକ୍ ପ୍ୟାନେଲ୍ ଦ୍ବାରା ପରିଚାଳିତ ହେଉ। ହେଲେ ଏହି ପରିଚାଳନାରେ ଯଦି କୌଣସି ପ୍ରକାରେ ବ୍ରିଜଭୂଷଣଙ୍କ ସଂପୃକ୍ତି ରହିବ, ତାହେଲେ ଏହାକୁ ସମସ୍ତ କୁସ୍ତିଯୋଦ୍ଧା ବିରୋଧ କରିବେ ବୋଲି ସାକ୍ଷୀ କହିଛନ୍ତି।
ସାକ୍ଷୀଙ୍କ ମତରେ, ଘଟଣାର ସତ୍ୟତା ଜାଣିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଉଭୟ ବ୍ରିଜଭୂଷଣ ଓ ସମସ୍ତ ୭ ଅଭିଯୋଗକାରୀଙ୍କ ନାର୍କେ ଟେଷ୍ଟ କରାଯାଉ। ଯିଏ ବି ମିଥ୍ୟା ପ୍ରମାଣିତ ହେବେ, ତାଙ୍କୁ ଫାଶୀ ଦେଇଦିଆଯାଉ ବୋଲି ସେ କହିଛନ୍ତି। ସେହିପରି ୨୦୧୨ରେ ଦିଲ୍ଲୀ ନିର୍ଭୟା ଘଟଣାରେ ଯେପରି ସାରା ଦେଶ ଏକାଠି ହୋଇଥିଲା ଠିକ୍ ସେମିତି କୁସ୍ତିଯୋଦ୍ଧାଙ୍କ ନ୍ୟାୟ ପାଇଁ ଚାଲିଥିବା ଲଢେଇରେ ସମସ୍ତେ ସାମିଲ ହେବାକୁ ସାକ୍ଷୀ ଆହ୍ବାନ ଦେଇଛନ୍ତି। ଦେଶର ମହିଳାମାନଙ୍କ ପାଇଁ ଏଠାରେ ଲଢେଇ ଚାଲିଛି। ଯଦି ଲଢେଇରେ ଆମେ ଜିତୁ ତାହେଲେ ସମାଜରେ ଏକ ଶକ୍ତ ସନ୍ଦେହ ପ୍ରେରଣ ହେବ। ହେଲେ ଯଦି ଆମେ ହାରିଯାଉ ତାହେଲେ ଦେଶର ମହିଳାମାନେ ୫୦ ବର୍ଷ ପଛକୁ ଠେଲିହୋଇଯିବେ। ଯେଉଁମାନେ ବି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ଚାହୁଁଛନ୍ତି, ସେମାନେ ନିଜନିଜ କାର୍ଯ୍ୟାଳୟରେ କଳା ଆର୍ମବ୍ୟାଣ୍ଡ ପରିଧାନ କରି ଆମର ସାହସ ବୃଦ୍ଧି କରନ୍ତୁ ବୋଲି ସାକ୍ଷୀ ଅନୁରୋଧ କରିଛନ୍ତି।
ପୁଣି ଦଳୀୟ ଆଇଟି ସେଲ୍ ପକ୍ଷରୁ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଥିବା ବଜରଙ୍ଗ ପୁନିଆ ଅଭିଯୋଗ କରିଛନ୍ତି। କେତେବେଳେ ଜାତିକୁ ନେଇ ତ କେତେବେଳେ ରାଜନୈତିକ ଉଦ୍ଦେଶ୍ୟ ଦର୍ଶାଇ କୁସ୍ତିବିତ୍ଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି। ହେଲେ ସତକୁ କେବେ ବି ଚାପି ଦିଆଯାଇପାରିବନି। ଦିନେ ନା ଦିନେ ଏହା ପଦାକୁ ଆସିବ ବୋଲି ପୁନିଆ କହିଛନ୍ତି। ଭିନେଶ ଫୋଗତ ମଧ୍ୟ ଡବ୍ଲୁଏଫ୍ଆଇର ପ୍ରାୟୋଜକମାନଙ୍କୁ ସେମାନଙ୍କ ଟଙ୍କା କ୍ରୀଡ଼ାବିତ୍ଙ୍କ କ୍ଷେତ୍ରରେ ଠିକ୍ ଭାବେ ବିନିଯୋଗ ହେଉଛି କି ନାହିଁ ତାହା ଯାଞ୍ଚ କରବାକୁ ଅନୁରୋଧ କରିଛନ୍ତି।